କନକ ବ୍ୟୁରୋ: ମା’ ଆଖିରୁ ଝଏ ଦୁଃଖ ନା କାହାକୁ କହି ହେଉଛି, ନା ସହିହେଉଛି । ଗୋଟିଏ ବୋଲି ପୁଅ ଆଜି ଅଚଳ । ଯୋଉଠି ବସିଲେ ମା’ ଆଖିରୁ ଝରୁଛି ଲୁହ । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ଅଲଗା କଥା, କିନ୍ତୁ ଖେଳିବା, ପଢିବା ବୟସରେ ସୁସ୍ଥ ପୁଅକୁ ଅଚଳ ହୋଇଯିବାର ଦେଖି ମା’ର ଛାତି ଫାଟିଯାଉଛି ।
ଏ ହେଉଛନ୍ତି ଗଜପତି ମୋହନା ବ୍ଲକ ଅନ୍ତର୍ବା ଗାଁର ମିନି ବୀର । ଇଏ ତାଙ୍କ ପୁଅ ଦିଲସାନ୍ । ଦୁଇ ପୁଅ ଝିଅଙ୍କୁ ନେଇ ଅଭାବ ଅନାଟନ ଭିତରେ ବି ଚାଲିଥିଲା ପରିବାର । ସ୍ୱାମୀ ସ୍ତ୍ରୀ ଦୁହେଁ କାମ କରି ପିଲାମାନଙ୍କୁ ପାଳିବାରେ ଅଭାବ କରୁନଥିଲେ । ହେଲେ ଦଇବ ବଇରୀ ହେଲା । ହଠାତ୍ ଗୋଟିଏ ବୋଲି ପୁଅ ଦିଲସାନ୍ ଅଚଳ ହୋଇଗଲା । ମିନି ବୀରଙ୍କ ଜୀବନରୁ ଖୁସି ପୁରା ଉଭେଇଗଲା ।
ସେଦିନ ଥିଲା ଗଣେଶ ପୂଜା । ସ୍କୁଲରୁ ଆସି ଦିଲସାନ୍ ଘର ଅଗଣାରେ ଖେଳିବା ବେଳେ ହଠାତ୍ ପଡିଗଲା । ମୁଣ୍ଡ ପଛପଟ ମାଡ ହୋଇଯିବାରୁ ବାନ୍ତି ହୋଇଥିଲା । ବାରମ୍ବାର ବାନ୍ତି ହେବାରୁ ବାପା ପୁଅକୁ ନେଇ ମୋହନା ହସ୍ପିଟାଲ ଗଲେ । କିନ୍ତୁ ସେଠି ଡାକ୍ତର ନପାରିବାରୁ ପୁଅକୁ ନେଇ ଏମକେସିଜି ହସ୍ପିଟାଲ, ଏମ୍ସ ଓ ବିଶାଖାପାଟଣା ଗଲେ । ସବୁଠି ଡାକ୍ତରଙ୍କର ଗୋଟିଏ କଥା । ପୁଅର ମୁଣ୍ଡ ମାଡ ହୋଇଯାଇଛି । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର । ୟାରି ଭିତରେ ପୁଅର ପାଟି ବନ୍ଦ ହୋଇଗଲା । ହାତ ଗୋଡ ବି ଅଚଳ ହୋଇଗଲା । ଏବେ ଦିଲସାନ୍ ପୁରା ଅଚଳ । ହସ ଖେଳ ବୟସରେ ଗୋଟିଏ ବୋଲି ପୁଅକୁ ଏଭଳି ଅବସ୍ଥାରେ ଦେଖି ମା’ ଆଖରୁ ଝରୁଛି ଅହରହ ଲୁହ । ପାଖରେ ଅର୍ଥ ନଥିବାରୁ ପୁଅର ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରୀ କରିଛନ୍ତି ମା’ ମିନି ବୀର ।
୩ ବର୍ଷ ହେବ ପୁଅର ଭତ୍ତା ପାଇଁ ଆବେଦନ କରିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଇନି । ଏଭଳି ସ୍ଥିତିରେ ଦିଲସାନର ଜୀବନ ପାଇଁ ପଡିଶା ଓ ତାଙ୍କ ସ୍କୁଲ ଶିକ୍ଷୟିତ୍ରୀ ମଧ୍ୟ ପ୍ରଶାସନକୁ କରିଛନ୍ତି ଗୁହାରୀ । ଏ ଖବର ଦେଖିବା ପରେ ଆମର ବିଶ୍ୱାସ ଗୋଟେ ମା’ର ବିକଳକୁ ବୁଝିବ ପ୍ରଶାସନ । ଖୁବଶୀଘ୍ର ଦିଲସାନକୁ ବଢାଇବେ ସହଯୋଗର ହାତ ।