ବାଲ୍ୟ ବିବାହ କରାଇଦେବାକୁ ଚାହୁଁଥିଲା ମାଆ । ଘରୁ ଖସି ଆସି ପୋଲିସର ଦ୍ୱାରସ୍ଥ ହେଲା ୧୫ ବର୍ଷୀୟା ନାବାଳିକା ।

326

କନକ ବ୍ୟୁରୋ: ନିର୍ଯାତନାର ଶିକୁଳି ମୁକ୍ତି ମିଳିଥିବା ବେଳେ ପାଠ ପଢି ବଡ଼ ମଣିଷ ହେବାକୁ ସ୍ୱପ୍ନ ଅଛି । ଜୀବନ ଯୁଦ୍ଧରେ ବାରମ୍ବାର ସଂଘର୍ଷର ସମ୍ମୁଖୀନ ହୋଇ ବି, ସେ ଆଜି ଅନ୍ଧକାର ଦୁନିଆରୁ ବାହାରକୁ ଆସିବାକୁ ସକ୍ଷମ ହୋଇଛି । ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ମିଳିଲେ ସେ ପାଠପଢି ଭବିଷ୍ୟତରେ ଡାକ୍ତର ହେବ ବୋଲି ଆଶା ରଖିଛି । ଫେବୃଆରୀ ୨୮ ତାରିଖରେ ଯାଜପୁର ବରୀ ଅଞ୍ଚଳରେ ପରିବାର ଲୋକ ବାଲ୍ୟ ବିବାହ କରାଇଦେବାକୁ ଉଦ୍ୟମ କରୁଥିବା ବେଳେ ୧୫ ବର୍ଷୀୟା ନାବାଳିକା ଘରୁ ଖସି ଆସି ପୋଲିସର ଦ୍ୱାରସ୍ଥ ହୋଇଥିଲା । ପରେ ଉକ୍ତ ନାବାଳିକାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା । ଉଦ୍ଧାର ନାବାଳିକା ଜଣକ ଗୁଜରାଟର ହୋଇଥିବା ବେଳେ ମାଙ୍କ ସହ ଯାଜପୁର ବରୀ ଅଞ୍ଚଳରେ ବସବାସ କରୁଥିଲା । ତେବେ ନାବାଳିକାର ମା ତୃତୀୟ ବିବାହ କରିବା ପରେ ଝିଅକୁ ମଧ୍ୟ ବାଲ୍ୟ ବିବାହ କରାଇବାକୁ ବାଧ କରୁଥିଲେ । ତେବେ ସେ ଏବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ହେପାଜତରେ ରହିଥିବା ବେଳେ ଭବିଷ୍ୟତରେ ପାଠ ପଢି ବଡ଼ ଡାକ୍ତର ହୋଇ ରୋଗୀସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛି ।