ଶ୍ରମିକ ଟ୍ରେନରେ ଶେଷ ଯାତ୍ରା । ଆଜି ଜନ୍ମ, କାଲି ମୃତ୍ୟୁ । ପ୍ରବାସୀଙ୍କ ଭିଡ ଭିତରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ନବଜାତକର ଜୀବନ ।

1,502

କନକ ବ୍ୟୁରୋ : ଶ୍ରମିକ ଟ୍ରେନରେ ମାଆ ସହ ନବଜାତକର ଶେଷ ଯାତ୍ରା । ଛାତିକୁ ପଥର କରି ମୃତ ଶିଶୁକୁ କୋଳରେ ଧରି ୨୦ ଘଂଟା ଶ୍ରମିକ ଟ୍ରେନରେ ଯାତ୍ରା କଲା ମାଆ । ଉତ୍ତରପ୍ରଦେଶରୁ ଛତିଶଗଡ ଫେରୁଥିବା ବେଳେ ନୂଆପଡାରୁ ଜଣାପଡିଲା ଶ୍ରମିକ ଟ୍ରେନରେ ଦିନକର ଶିଶୁର ମୃତ୍ୟୁ ଖବର । ପୁଲିସ ପାଖରେ ସବୁ କହି, ଶିଶୁର ମୃତଦେହକୁ ହସ୍ତାନ୍ତର କଲେ ହତଭାଗା ବାପା-ମାଆ ।

ଶ୍ରମିକ ଟ୍ରେନରେ ଶେଷ ଯାତ୍ରା । ଆଜି ଜୀବନ, କାଲି ମୃତ୍ୟୁ । ଦିନକର ଶିଶୁପୁତ୍ରକୁ ଧରି ଶ୍ରମିକ ଟ୍ରେନରେ ଭିଟାମାଟିକୁ ଫେରୁଥିଲେ ଦାଦନ ବାପା-ମାଆ । ମାଆ ଭାବି ଥିଲା ଭିଟାମାଟିକୁ ଫେରିଲେ ପୁଅର ଭୋକ ମେଂଟିବ, ହେଲେ ଭିଟାମାଟିର ମୁହଁ ଦେଖିପାରିଲା ନାହିଁ ନବଜାତକ । ଶ୍ରମିକ ଟ୍ରେନରେ ପ୍ରବାସୀଙ୍କ ଭିଡ ଭିତରେ ଶ୍ୱାସରୁଦ୍ଧ ହୋଇ ଆଖି ବୁଝିଦେଲା ଦିନକର ଶିଶୁପୁତ୍ର । ୧୪ ତାରିଖରେ ଜନ୍ମ ହୋଇଥିବା ଶିଶୁ ୧୫ ତାରିଖ ରାତି ପ୍ରାୟ ୧୧ଟା ବେଳେ ମାଆ କୋଳରେ ହିଁ ସବୁଦିନ ପାଇଁ ଶୋଇ ଯାଇଥିଲା ।

ଜୀବନ ଟ୍ରାକରେ ମୃତ୍ୟୁର ନାଆ । ମାଆ କୋଳରେ ଥିଲା ମଲା ଛୁଆ । ମାଆ ଜାଣି ସାରିଥିଲା ତା ମମତା ମରି ସାରିଛି । ତଥାପି ନବଜାତକର ନିସ୍ତେଜ ଶରୀରକୁ କୋଳରେ ଧରି ଶ୍ରମିକ ଟ୍ରେନରେ ୨୦ ଘଂଟାର ଯାତ୍ରା କରିଛନ୍ତି ଛତିଶଗଡ ଜିଲ୍ଲା ବସନା ଜିଲ୍ଲାର ତୁଲାରାମ ପାଣ୍ଡେ ଏବଂ ସ୍ତ୍ରୀ ତରୁରବାଇ ପାଣ୍ଡେ । ଉତ୍ତରପ୍ରଦେଶରୁ ଛତିଶଗଡ ଯାଉଥିବା ଏହି ଦମ୍ପତି ନୂଆପଡା ଖଡିଆରରେ ପହଂଚିବା ପରେ ଏକ ସଂଗରୋଧ କେନ୍ଦ୍ରରେ ତାଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା । ସେହି ସମୟରେ ଶିଶୁପୁତ୍ର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଆଉ ଏକ ବ୍ୟାଗ ଭିତରେ ଥିବା ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି ପୁଲିସ ।

ଉତ୍ତରପ୍ରଦେଶର ଇଟା ଭାଟିରେ କାମ କରୁଥିଲେ ତୁଲାରାମ ଓ ତାଙ୍କ ସ୍ତ୍ରୀ ତରୁରବାଇ । କରୋନା କଟକଣା ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଗର୍ଭବତୀ ସ୍ତ୍ରୀଙ୍କୁ ଧରି ୩ ମାସ କାଳ ଅଟକି ରହିଥିଲେ ତୁଲାରାମ । ପାଖରେ ଥିବା ଟଙ୍କା ପଇସା ସରିବା ସହ ପୁଅ ଜନ୍ମ ହେବା ପରେ ଘରକୁ ଫେରିବା ବେଳେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ତୁଲାରାମଙ୍କ ସ୍ତ୍ରୀ ହୁଏତ ପ୍ରସବ ବେଦନାକୁ ଭୁଲି ଯାଇ ପାରନ୍ତି ହେଲେ ଶ୍ରମିକ ଟ୍ରେନରେ ତାଙ୍କ ସହ ଘଟିଥିବା ଘଟଣାକୁ ସେ କେବେ ଭୁଲି ପାରିବେ ନାହିଁ । ଯେବେ ବି ସେ ଟ୍ରେନ ଚଢିବେ ତାଙ୍କର ଏହି ତିକ୍ତ ଅନୁଭୂତି ମନେପଡିବ ନିଶ୍ଚୟ ।