ବାପା ଗଲା ପରେ… ଅସହାୟ ମାଆ ମୁଣ୍ଡରେ ବାପଛେଉଣ୍ଡ ଝିଅଙ୍କ ଦାୟିତ୍ୱ । ଅଭାବ ପାଇଁ ବଡ ଝିଅ ପାଠ ଛାଡିଲା. ସାନ ଛାଡିବା ଉପରେ ।

324

କନକ ବ୍ୟୁରୋ: ତତଲା ତେଲରେ ବରା ନୁହେଁ ବରଂ ପିଲାଙ୍କ ଭବିଷ୍ୟତ ଛାଣେ ମାଆ । ନିଆଁ ତେଲ ସହ ମାଆ ଯେତେଯେତେ କସରତ କରେ ପିଲାଙ୍କ ପାଠ ପଢା ପାଇଁ ସେତେସେତେ ଫର୍ଚ୍ଚା ହୁଏ ଆଶାର କିରଣ । କାରଣ ବାପା ମଲା ପରେ ମାଆ ହିଁ ସାଜିଛି ବାପା । ଆଉ ଦୁଇ ଝିଅଙ୍କୁ ବଡ ମଣିଷ କରିବାକୁ ମାଆ ବିକୁଛି ବରା । ଗରମ ତେଲରେ ପାଠ ପାଇଁ ପକାଉଛି ପକୁଡି, ବଡମଣିଷ କରିବାକୁ ଛାଣି ଚାଲିଛି ବରା…

କେନ୍ଦ୍ରାପଡା ରାଜକନିକା ଫାଜିଲପୁର ଗାଁର ବିଷ୍ଣୁଚରଣ ରାଉତ ୨ ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ ଏବେ ଦୁଇ ଝିଅଙ୍କ ଦାୟିତ୍ୱ ମାଆଙ୍କ ଉପରେ । ତେଣୁ ପିଲାଙ୍କୁ କେମିତି ବଡ କରିବେ, ତାଙ୍କୁ କେମିତି ପାଠ ପଢାଇବେ ସେହି ଚିନ୍ତାରେ ଥିବା ମାଆ ବଞ୍ଚିବା ପାଇଁ ବିକଳ୍ପ ବାଟ ବାହାର କରିଛନ୍ତି । ଆଉ ଗାଁଦାଣ୍ଡରେ ଆରମ୍ଭ କରିଛନ୍ତି ଏକ ବରା ଦୋକାନ ।

ବାପା ଗଲା ପରେ ଚଳିବା ପାଇଁ କଷ୍ଟ ଏତେ ବଢିଗଲା ଯେ ବଡ ଝିଅ ପ୍ଲସଟୁ ପାସ୍ କରିଥିଲେ ବି ଅଧିକ ନପଢି ଅଧାରୁ ପଢାରେ ଡୋରି ବାନ୍ଧିଛନ୍ତି । ହେଲେ ସାନ ଝିଅ ପୂଜାର ପାଠ ପାଇଁ ଅଧିକ ଇଚ୍ଛା ଥିଲେ ବି ଘରର ଅଭାବ ପାଇଁ ପଢା ବନ୍ଦ ହେବାକୁ ବସିଲାଣି । କରୋନା କଟକଣା ପାଇଁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ କ୍ଲାସ ହେଉଛି । ହେଲେ ଘରେ ଖଣ୍ଡେ ମୋବାଇଲ ନଥିବାରୁ ପାଠ ପଢାରେ ବାଧକ ସାଜିଛି ।

ସେପଟେ ଘରର ମୁରବି ମରିଯିବା ପରେ ଏବେ ମାଆ ହିଁ ଏ ଦୁଇ ଝିଅଙ୍କର ସାଜିଛି ବାପା ଆଉ ମାଆ । ସେଇଥି ପାଇଁ ତ ଗାଁର ଜଣଙ୍କ ପିଣ୍ଡାରେ ଏ ବରା, ପକୁଡି ଦୋକାନ କରି ପିଲାଙ୍କୁ ବଡ କରିବାକୁ ପଣ କରିଛନ୍ତି ମହିଳା । କରୋନା ପାଇଁ ଲୋକେ ଏତେ ଆସୁନଥିବାରୁ ବେପାର ମାନ୍ଦା ରହୁଛି । ତଥାପି ତାରି ଭିତରେ ସଙ୍ଘର୍ଷ କରି ଚାଲିିଛନ୍ତି ସମସ୍ତେ…