ମା’ ନା ରାକ୍ଷସୀ । ମାତ୍ର ୧୦୦୦ ଟଙ୍କା ପାଇଁ ନରରାକ୍ଷସଙ୍କ ହାତରେ ଟେକିଦେଲା ଝିଅର ଇଜ୍ଜତ

ମା’ ପାଇଁ ଝିଅର ଇଜ୍ଜତର ମୂଲ୍ୟ ମାତ୍ର ୧୦୦୦ ଟଙ୍କା

273

ଏମିତି ମା’କୁ ଛି । ମାତ୍ର ୧୦୦୦ ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ଦେହ ରାକ୍ଷସଙ୍କୁ ସମର୍ପି ଦେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ହରିୟାଣାରୁ ସାମ୍ନାକୁ ଆସିଛି । ନାବାଳିକା ଝିଅ ଏ ସର୍ମ୍ପକରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ଉପରୁ ପରଦା ଉଠିଛି ।

ପୀଡିତାଙ୍କ କହିବା ମୁ୍ତାବିକ, ଏହି ଘଟଣା ପ୍ରାୟ ଦେଢ ମାସ ତଳର । ଯେତେବେଳେ ସେ ମା’ଙ୍କ ସହ ମନ୍ଦିରକୁ ଯାଇଥିଲେ । ତେବେ ମନ୍ଦିର ଯିବା ଯେ ତାଙ୍କ ପାଇଁ ଏତେ ମହଙ୍ଗା ପଡିବ ଏକଥା ଜାଣିନଥିଲେ ନାବାଳିକା । ମନ୍ଦିରରୁ ଫେରିବା ବେଳକୁ ବାହାରେ ଜଣେ ଯୁବକ ମୋଟରସାଇକେଲ ଧରି ତାଙ୍କର ଅପେକ୍ଷା କରିଥିଲା । ଯାହାଙ୍କୁ ସେ ଜାଣିନଥିଲେ । କିନ୍ତୁ ତାଙ୍କ ମା’ ବାହାଘର ଉତ୍ସବରେ ଯୋଗ ଦେବାକୁ କହି ଯୁବକଙ୍କ ସହ ତାଙ୍କୁ ପଠାଇଥିଲେ ।

କିନ୍ତୁ ଯୁବକ ଜଣକ ବିବାହ ଉତ୍ସବ ବଦଳରେ ତାଙ୍କୁ ଶୂନଶାନ ସ୍ଥାନରେ ଥିବା ଏକ ଭଙ୍ଗା ଘର ମଧ୍ୟକୁ ନେଇଥିଲେ । ଯେଉଁଠାରେ ଖୁବ କମ ଆଲୁଅ ଥିଲା ଓ ଭଙ୍ଗା ଘର ମଧ୍ୟରେ ଏକ ଖଟିଆ ପଡିଥିଲା । ତାଙ୍କ ଆସିବା ପୂର୍ବରୁ ସେହି ଭଙ୍ଗା ଘରେ ଆହୁରି ୩ ଜଣ ଯୁବକ ଲୁଚି ରହିଥିଲେ । ଯେଉଁଠାରେ ତାଙ୍କ ସହ ଜୋର ଜବରଦସ୍ତି ଗଣ ଦୁର୍ଷ୍କମ କରଯାଇଥିଲା ।

ଦେହର ଭୋକ ମେଣ୍ଟାଇବା ପରେ ଯେଉଁ ଅଭିଯୁକ୍ତ ତାଙ୍କୁ ମନ୍ଦିର ନିକଟରୁ ନେଇଥିଲେ ୫ ଘଣ୍ଟା ପରେ ପୁଣିଥରେ ସେହି ସ୍ଥାନରେ ଛାଡି ଚାଲି ଯାଇଥିଲେ । ଘଟଣାର ପରଦିନ ଉକ୍ତ ଯୁବକ ଜଣକ ତାଙ୍କ ଘରକୁ ଆସିବା ସହ ମା’ଙ୍କୁ ୧୦୦୦ ଟଙ୍କା ଦେଇଥିଲେ । ପୀଡିତା ଜଣକ କହିଛନ୍ତି, ଗଣଦୁଷ୍କର୍ମ ପରେ ସେ ଏବେ ଗର୍ଭବତୀ ଅଛନ୍ତି । ଏପରିକି ଏହା ପୂର୍ବରୁ ମଧ୍ୟ ତାଙ୍କର ଜଣେ ପଡୋଶୀ ମଧ୍ୟ ତାଙ୍କୁ ଶାରୀରିକ ଶୋଷଣ କରିଥିବା କହିଛନ୍ତି ପୀଡିତା ।

ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ମା’ ଓ ଚାରି ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟ ଓ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ଏପରିକି ପୀଡିତାଙ୍କ ମା’ ଓ ଦୁଇ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଖାନତଲାସୀ କରୁଛି ପୋଲିସ ।