ଦାରିଦ୍ର ଆଗରେ ହାରିଗଲା ମମତା । ସ୍ୱାମୀକୁ ଭଲ କରିବା ପାଇଁ ପୁଅକୁ ବିକିଲା ମା’ । ଗଂଜାମ ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର ।

139

କନକ ବ୍ୟୁରୋ: ସିନ୍ଦୁର ପାଇଁ ମମତାକୁ ବିକ୍ରି କରିଦେଲା ମାଆ । ସ୍ୱାମୀଙ୍କ ଚିକିତ୍ସା ପାଇଁ ୫ ମାସକୁ କୁନି ପୁଅକୁ ବିକ୍ରି କରିଦେଇଛି ଜଣେ ମାଆ। ଏ ନିଷ୍ପତି କେତେ କଠୋର ତା’ କହିବାର ଆବଶ୍ୟକା ନାହିଁ । ଛୁଆଟିଏ ପାଇଁ ମାଆଟିଏ କେତେ ଦିଅଁ ଦେବତା ପୂଜା କରିଥାନ୍ତି । ହେଲେ ଗଂଜାମ ଜିଲ୍ଲା ଭଂଜନଗର ଯୋଗିମାରୀ ଗାଁରେ ଜଣେ ମାଆ ସ୍ୱାମୀର ଚିକିତ୍ସା ପାଇଁ ପୁଅକୁ ବିକି ଦେଇଥିବା ଖବର ସାମ୍ନାକୁ ଆସିଛି ।
ଗରିବୀର ଯନ୍ତ୍ରଣା ଆଗରେ ହାରିଗଲା ମାଆର ମମତା । ସ୍ୱାମୀଙ୍କ ଚିକିତ୍ସା ସାଙ୍ଗକୁ ପିଲାଙ୍କ ପେଟକୁ ଦାନା ଦେଇ ନପାରି ଶିଶୁ ବିକ୍ରିର ନିଷ୍ପତି ନେଇଛି ଜଣେ ମାଆ । ମାତ୍ର ୧୦ ହଜାର ଟଙ୍କାରେ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ପୁଅକୁ ବିକି ଦେଇଛି ଜଣେ ମାଆ । ଆଉ ସେହି ଟଙ୍କାରେ ସ୍ୱାମୀଙ୍କ ଚିକିତ୍ସା କରୁଛନ୍ତି । ଏମିତି ଜଣେ ଦୁଃଖୀ ମାଆ ହେଉଛନ୍ତି ଗଂଜାମ ଜିଲ୍ଲା ଭଂଜନଗର ଯୋଗିମାରୀ ଗାଁର ଝିଲି ନାୟକ ।

ଯୋଗିମାରୀ ଗାଁର ଦୁଃଖା ନାୟକ ମୁଲ ମଜୁରି ଲାଗି ସ୍ତ୍ରୀ-ପିଲା ଓ ବୁଢୀ ମାଆ ମୁହଁରେ ଦାନା ଦେଉଥିଲେ । କାମ କରିବା ବେଳେ ଗୋଡରେ ମାଡ ହୋଇଥିଲା । ସେହି ଆଘାତ ଯେ, ତାଙ୍କ ଜୀବନର ମୋଡ ବଦଳାଇ ଦେବ ତାହା ତାଙ୍କୁ ଜଣାନଥିଲା । ଗୋଡର କ୍ଷତ ତାଙ୍କୁ ଅଚଳ କରି ଦେବ, କୁନି ପୁଅକୁ ବିକ୍ରି କରିବାକୁ ବାଧ୍ୟ କରିବ, ସେକଥା କେବେ ଭାବି ନଥିଲେ ଦୁଃଖା କି ତାଙ୍କ ସ୍ତ୍ରୀ ଝିଲି । ପରିବାର ପିଲାଙ୍କ ମୁହଁରେ ଦାନା ଦେବା ସହ ସ୍ୱାମୀଙ୍କ ଚିକିତ୍ସା ପାଇଁ ୫ ମାସର ପୁଅକୁ ବିକ୍ରି କରିବାର କଠୋର ନିଷ୍ପତି ନେଇଥିଲେ ଝିଲି । ଆଉ ଛାତିରେ ପଥର ରଖି ମାତ୍ର ୧୦ ହଜାର ଟଙ୍କାରେ ମମତାକୁ ବିକି ସିନ୍ଦୁରର ଚିକିତ୍ସା କରୁଛନ୍ତି ଜଣେ ମାଆ । ଗରିବଙ୍କ ପାଇଁ ମାଳମାଳ ଯୋଜାନା ଘୋଷଣା କରୁଛନ୍ତି ସରକାର । ହେଲେ ଗରିବ ମାଆର ଏଭଳି କାହାଣୀ ଦେଖିବା ପରେ ମନରେ ପ୍ରଶ୍ନ ଉଠେ କାହା ପାଇଁ ସରକାରଙ୍କ ଗରିିବ ହଟାଅ ଯୋଜନା?