ସ୍ନେହ ଜିତିଲା, ସମୟ ହାରିଲା । ଦୀର୍ଘ ୨୬ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ, ମାଆ ଆଖିରୁ ଝରିପଡିଲା ଖୁସିର ଲୁହ ।

208

କନକ ବ୍ୟୁରୋ: ପୁଅ ଫେରିଛି… ମାଆ କୋଳକୁ, ଭିଟାମାଟିକୁ । ଦିନେ କି ଦୁଇ ଦିନ, ମାସେ କି ବର୍ଷେ ନୁହେଁ । ଦୀର୍ଘ ୨୬ ବର୍ଷ ପରେ ମାଆ ପାଖକୁ ଫେରି ଆସିଛି ତା ହଜିଲା ପୁଅ. ତା ସୁନାଧନ । ସେଇଥି ପାଇଁ ତ ତାକୁ ପାଖରେ ପାଇ ତା ମୁଣ୍ଡ ମମତାର ହାତ ବୁଲାଇ ଆଣୁଛି, ତାକୁ ଆଉଁଷି ଦେଇ ଗେଲ କରିପକାଉଛି ଏ ସ୍ନେହକଙ୍ଗାଳୀ ମାଆ । ବିଶ୍ୱାସ ଥିଲା ତା ପୁଅ ଫେରିବ, ନିଶ୍ଚୟ ଫେରିବ । ଈଶ୍ୱର ଏତେ ନିଷ୍ଠୁର ନୁହନ୍ତି, ତା ପୁଅକୁ ତା ପାଖକୁ ଦିନେ ନା ଦିନେ ଫେରାଇ ଆଣିବେ । ଆଉ ଆଜି ମାଆର ସେହି ଅତୁଟ ବିଶ୍ୱାସ ପୁଅକୁ ତା କୋଳକୁ ଫେରାଇ ଆଣିଛି…

ଦିନେ ଯେଉଁ ପୁଅ କୁଆଡେ ନିଖୋଜ ହୋଇଯାଇଥିଲା ଆଜି ସେ ପୁଣି ଫେରି ଆସିଲା । ଜିତିଗଲା ମାଆର ବିଶ୍ୱାସ । ସିନେମା ପରି କାହାଣୀ ଏବେ ସତ ସତିକା ଘଟିଛି ସୋର ଦହିସଡା ସୁଲତାନପୁର ଗାଁରେ । ସ୍କୁଲରେ ପଢୁଥିବା ସମୟରେ ହଠାତ କୁଆଡେ ପଲାଇଲେ ତବଲାବାଦକ ସତ୍ୟାନନ୍ଦ ନାୟକଙ୍କ ପୁଅ ସନାତନ । କୁଆଡେ ଗଲେ, କେଉଁଠି ରହିଲେ ପୁଅ ପାଡଇଁ ଚିନତାରେ ଥିବା ପୂରା ପରିବାର ବହୁ ଖୋଜାଖୋଜି, ଦିଅଁଦେବତ, ଜ୍ୟୋତିଷଙ୍କୁ ପଚରା ଉଚରା ପରେ ପୁଅର ଆଶା ଛାଡି ଦେଇଥିଲେ ।

ହେଲେ ୨୬ ବର୍ଷ ପରେ ପୁଣି ହଜିଲା ପୁଅକୁ ଘର ଆଗରେ ଦେଖି କାନ୍ଦି ପକାଇଛି ମାଆ । ଦୀର୍ଘ ଦିନ ହେବ ବାହାରେ ରହି ଯେତେବେଳେ ଘର, ପରିବାର, ବାପାମାଆଙ୍କ କଥା ମନେ ପଡିଛି ସେତେବେଳେ ମାଲିକର ସହାୟତାରେ ସୋର ଷ୍ଟେସନରେ ପହଞ୍ଚିଥିଲେ ସନାତନ । କିନ୍ତୁ ରେଳ ଷ୍ଟେସନରେ ପହଞ୍ଚିବା ପରେ ଘରକୁ ଫେରିବାକୁ ବାଟ ଭୁଲିଯାଇଥିଲେ । ଗାଁର ଜଣେ ଅଟୋ ଚାଳକ ତାଙ୍କ ନାଁ ଗାଁ ଠିକଣା ପଚାରି ତାଙ୍କୁ ତାଙ୍କ ଘରେ ଛାଡିଥିଲେ । ଆଉ ତା ପରେ ପୁଅକୁ ପାଇ ଆତ୍ମହରା ହୋଇଥିଲା ପରିବାର । ଖୁସିରେ ନାଚିଥିଲେ ସମ୍ପର୍କୀୟ, ଗାଁ ଲୋକେ ।