ମାନସିକ ବିକାରଗ୍ରସ୍ତ ପୁଅକୁ ଲୁହା ଜଞ୍ଜିରରେ ବାନ୍ଧି ରଖିଛନ୍ତି ମା’ । ୧୫ ବର୍ଷ ହେଲା ଭଙ୍ଗା ଘରେ କାଟୁଛନ୍ତି ବନ୍ଦୀ ଜୀବନ ।

160

କନକ ବ୍ୟୁରୋ : ଶିକୁଳିରେ ବନ୍ଧା ଯୁବକଙ୍କ ଜୀବନ । ମାନସିକ ବିକାରଗ୍ରସ୍ତ ପୁଅକୁ ଲୁହା ଜଞ୍ଜିରରେ ବାନ୍ଧି ରଖିଛନ୍ତି ଜଣେ ଅସହାୟ ମାଆ । ୧୫ ବର୍ଷ ହେଲା ଭଙ୍ଗା ଘରେ ବନ୍ଦୀ ଜୀବନ କାଟୁଛନ୍ତି ପୁରୀ ଗୋପ ଅଞ୍ଚଳର ସୁକାନ୍ତ ବେହେରା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ମୁଣ୍ଡ ଉପରେ ନାହିଁ ଭଲ ଘର ।

ପୁଅର ଦୁଇ ଗୋଡକୁ ଲୁହା ଜଞ୍ଜିରରେ ବାନ୍ଧି ତାଲା ପକାଇ ରଖିଛି ମାଆ । ଆଉ ଏଇଠି ସମାଧି ନେଇଛି ବାପା-ମାଆଙ୍କ ଆଶା । ପରିଣତ ବୟସରେ ପୋଡି ପାଉଁଶ ହୋଇଯାଇଛି ସ୍ୱପ୍ନ । ଯେତେବେଳେ ଗରିବ ଘରର ଭେଣ୍ଡିଆ ପୁଅ ମାନସିକ ବିକାରଗ୍ରସ୍ତ ହୋଇଯାଏ ସେତେବେଳେ ମମତାକୁ ଏମିତି ଜଞ୍ଜିରରେ ବାନ୍ଧି ରଖିବାକୁ ବାଧ୍ୟ ହୁଏ ଜଣେ ଅସହାୟ ମାଆ ପଦ୍ମା ବେହେରା ।

ଭଙ୍ଗା ଦଦରା କୁଡିଆ ଭିତରେ ଜୀବନ ଜିଉଁଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ କଂଟି ଗାଁର ସୁକାନ୍ତ ବେହେରା ଓ ତାଙ୍କ ବାପା ସୁରେନ୍ଦ୍ର ଏବଂ ମାଆ ପଦ୍ମା । ପିଲାଟି ଦିନରୁ ସୁସ୍ଥ ସବଳ ଥିଲେ ୩୦ ବର୍ଷିୟ ସୁକାନ୍ତ । ୧୫ ବର୍ଷ ତଳୁ ତାଙ୍କର ମାନସିକ ସ୍ଥିତି ବିଗିଡି ଯାଇଛି । ବାପାମାଆ ଜମିବାଡି ବନ୍ଧା ପକାଇ ପୁଅର ଚିକିତ୍ସା କରୁଥିଲେ । ହେଲେ ଏବେ ଆଉ ପାଖରେ ଟଙ୍କା ନଥିବାରୁ ଚିକିତ୍ସା କରାଇ ନପାରି ଲୁହା ଜଂଜିରରେ ବାନ୍ଧି ଘରେ ରହିଛନ୍ତି । ମାନସିକ ସ୍ଥରରେ ସୁସ୍ଥ ନଥିବା ସୁକାନ୍ତ ଘରୁ ଚାଲି ଯାଉଛନ୍ତି । ବାହାରେ ଲୋକଙ୍କୁ ମାରପିଟ କରିବାକୁ ଉଦ୍ୟମ କରୁଛନ୍ତି । ତେଣୁ ତାଙ୍କୁ ନିଜ ଆଖି ସାମ୍ନାରେ ରଖିବା ଉଦ୍ଦେଶ୍ୟରେ ଏମିତି ବାନ୍ଧି ରଖିଛନ୍ତି ମାଆ ।