ମା’ କୁ ପର କରି ଆରପାରିକୁ ଚାଲିଗଲା ଅନ୍ଧର ଲଉଡ଼ି ସିଦ୍ଧାର୍ଥ । ଥରଥର ହାତରେ ମା’ ଦେଲେ ମୁଖାଗ୍ନି ।

1,141

୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥିôବା ମା’ ଆଖି ଆଗରୁ ଯେତେବେଳେ ତା’ ପୁଅ ଆରପାରିକୁ ଚାଲିଯାଏ ମା’ର ଅସହ୍ୟ ଯନ୍ତ୍ରଣା ବାକ୍ୟରେ ବ୍ୟାଖା କରାଯାଇନପାରେ । ବୃଦ୍ଧା ମା’ ଥାଉ ଥାଉ ଭେଣ୍ଡିଆ ପୁଅର ଅକାଳମୃତ୍ୟୁ ହେବା ଯେ କେତେ କଷ୍ଟଦାୟକ ତାହା କେବଳ ଭୁକ୍ତଭୋଗୀ ହିଁ ଅନୁଭବ କରିପାରିବେ ।

ହିନ୍ଦୀ ସିନେ ତଥା ଟେଲି ଜଗତର ଜଣେ ଜଣାଶୁଣା ଚେହେରା ଥିଲେ ସିଦ୍ଧାର୍ଥ ଶୁକ୍ଲା । ମାତ୍ର ୪୦ ବର୍ଷ ବୟସରେ ପରିବାର, ବନ୍ଧୁବାନ୍ଧବ , ପ୍ରସଂଶକ ଏବଂ ପ୍ରସିଦ୍ଧିକୁ ପଛରେ ପକାଇ ଆରପାରିକୁ ଚାଲିଗଲେ ସମସ୍ତଙ୍କ ପ୍ରିୟ ‘ସିଡ଼୍’ । ଶୁକ୍ରବାର ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସିଦ୍ଧାର୍ଥ । ବ୍ରହ୍ମାକୁମାରୀ ନୀତିରେ ସମ୍ପର୍ଣ୍ଣ ହେଲା ଅନ୍ତିମ ସଂସ୍କାର । ମାୟାନଗରୀର ଝିପ୍ ଝିପ୍ ବର୍ଷା ଭିତରେ ଶ୍ମଶାନରେ ସିଦ୍ଧାର୍ଥଙ୍କ ଶେଷ ଦର୍ଶନ କରିବା ପାଇଁ ଠିଆ ହୋଇଥିଲେ ସହକଳାକାର ଏବଂ ପରିବାର ।

ସମସ୍ତଙ୍କ ଆଖିରେ ଥିଲା ଲୁହ । ନିଜ ପ୍ରିୟ ଅଭିନେତାଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ୁଥିଲେ ସମର୍ଥକ । ସେପଟେ ଘଡ଼ି ଘଡ଼ିକେ ମୁର୍ଚ୍ଛିତ ହେଉଥିଲେ ବାନ୍ଧବୀ ସେହନାଜ୍ ଗିଲ୍ । କିନ୍ତୁ ଇତ୍ୟ ଭିତରେ ସବୁଠାରୁ ଦୁଃଖଦାୟକ କଥା ହେଉଛି ଥର ଥର ହାତରେ ପୁଅକୁ ମୁଖାଗ୍ନି ଦେଲେ ମା’ ରିତା ଶୁକ୍ଲା । ଖୁବ୍ କମ୍ ବୟସରେ ସ୍ୱାମୀଙ୍କୁ ହରାଇଥିବା ରିତାଙ୍କ ଏକମାତ୍ର ଅନ୍ଧର ଲଉଡ଼ି ଥିଲେ ସିଦ୍ଧାର୍ଥ । ସିଦ୍ଧାର୍ଥଙ୍କୁ ଦେଖି ସ୍ୱାମୀ ହରାଇବାର ସବୁ ଦୁଃଖ ଭୁଲିଯାଇଥିଲେ ରିତା ଦେବୀ । ହେଲେ ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ତାଙ୍କୁ ମନ ଭିତରୁ ଭାଙ୍ଗି ଦେଇଛି । ଶ୍ମଶାନରେ ଥରିଲା ହାତରେ ସେ ଯେତେବେଳେ ପୁଅକୁ ମୁଖାଗ୍ନି ଦେଇଥିଲେ ସେଠାରେ ଉପସ୍ଥିତ ଥିବା ସହ କଳାକାରଙ୍କ ଆଖିରୁ ଲୁହ ଝରିଆସିଥିଲା । ପୁଅର ମୁହଁ ଦେଖି ସ୍ୱାମୀଙ୍କ ବିୟୋଗକୁ ସହ୍ୟ କରିଥିବା ମା’ର ସାହାରା ଯେ ସବୁଦିନ ପାଇଁ ଚାଲିଯାଇଛି ଏହା ବିଶ୍ୱାସ କରିବା ଜଣେ ମା’ ପକ୍ଷେ ଯେ କେତେ କଷ୍ଟକର ତାହା ରିତା ଦେବୀଙ୍କଠୁ ଅଧିକା ବା ଆଉ କିଏ ଜାଣିବ ।