କନକ ବ୍ୟୁରୋ : ଆଜି ହେଉଛି ମଦର୍ସ ଡେ ଅବା ମାତୃ ଦିବସ । ଛୁଆ ପ୍ରତି ମାଆର ଥିବା ଅନାବିଳ ପ୍ରେମ ଦିବସ । ଆଜି ଜାଣିବା ଏମିତି ଜଣେ ଯଶୋଦା ମାଆଙ୍କ ବିଷୟରେ ଯାହାଙ୍କ ପାଇଁ ୬୩ ଜଣ ପାଇଛନ୍ତି ମାଆର ସ୍ନେହ । ଜ୍ମନ କଲା ମାଆ ହୋଇନଥିଲେ ମଧ୍ୟ ନିଜ ପିଲାଭଳି ସେମାନଙ୍କ ଲାଳନପାଳନ କରୁଛନ୍ତି ।

Advertisment

୬୩ ସନ୍ତାନର ମାଆ କସ୍ତୁରୀ ! ଅନାଥ ଶିଶୁଙ୍କ ଘର ଯଶୋଦା ଅନାଥ ଆଶ୍ରମ । ଏ ହେଉଛି ଢେଙ୍କାନାଳ ଜିଲ୍ଲା ଧର୍ମଗଡ଼ ଅଂଚଳର ଯଶୋଦା ଅନାଥ ଆଶ୍ରମ । ୩୫ ବର୍ଷ ଧରି ବେସାହାରା ଶିଶୁଙ୍କ ଘର ପାଲିଟିଛି ଏହି ଆଶ୍ରମ । ଅସହାୟ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଭବିଷ୍ୟତ ଗଢିବାରେ ଏହି ଆଶ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଉ ଏଠାରେ ରହୁଥିବା ଶିଶୁଙ୍କ ମା ପାଲଟିଯାଇଛନ୍ତି ଆଶ୍ରମର ପ୍ରତିଷ୍ଠାତା କସ୍ତୁରି ଜାଲ । ନିଜ ସ୍ୱାମୀଙ୍କ ସହ ମିଶି ୬୩ରୁ ଅଧିକ ଶିଶୁଙ୍କ ଲାଳନପାଳନର ଦାୟିତ୍ୱ ନେଇଛନ୍ତି କସ୍ତୁରୀ । ନିଜ ଛୁଆ ଭଳି ପିଲାମାନଙ୍କ ଗାଧୁଆ ଠୁ ଖାଇବା, ପିଇବା, ଶୋଇବା ପର୍ଯ୍ୟନ୍ତ ସବୁକିଛି ବୁଝନ୍ତି କସ୍ତୁରୀ । ଆଉ ଏତେ ସବୁ ପିଲାଙ୍କ ଗହଣରେ ବେଶ ଖୁସି ଅଛନ୍ତି କସ୍ତୁରୀ ।

ପୁରାଣ କାଳର ବର୍ଣ୍ଣିତ ଭଗବାନ କୃଷ୍ଣଙ୍କ ପାଳିତ ମାଆ ଯୋଶଦାଙ୍କ ବାବଦରେ ଆମେ ଜାଣିଛେ । ଠିକ୍ ସେହିଭଳି କସ୍ତୁରୀ ମା’ ମଧ୍ୟ ଅନାଥ ଶିଶୁଙ୍କ ପାଇଁ ଯୋଶଦା ମାଆଙ୍କଠୁ କମ୍ ନୁହଁନ୍ତି । ନିଜ ପରିଚୟରେ ଶିଶୁମାନଙ୍କୁ ବଂଚିବାର ରାହା ଦେଖାଉଥିବା କସ୍ତୁରୀ, ଭବିଷ୍ୟତରେ ପିଲାମାନେ ସେମାନଙ୍କ ନାଁ ରଖିବେ ବୋଲି ଆଶାବାଦୀ ଅଛନ୍ତି । ବର୍ତମାନ ଯୁଗରେ ନିଜ ଜନ୍ମ କଲା ମା ଛୁଆକୁ ଛାଡି ପଳାଉଥିବା ବେଳେ କସ୍ତୁରୀଙ୍କ ଏଭଳି କାର୍ଯ୍ୟକୁ ଚାରି ଆଡୁ ପ୍ରସଂଶା କରଯାଉଛି ।