କନକ ବ୍ୟୁରୋ: ଦୟାକରି ମତେ ଥରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରେଇ ଦିଅନ୍ତୁ, ମୁଁ ମୋ ଛୁଆ କଥା କହିବି । ମୋ ପୁଅ ପାଇଁ ତାଙ୍କ ପାଖରେ ପଣତ ପାତି ଭିକ ମାଗିବି । ଏ ଧନ... ଧନରେ, ତୁ ବି ହାତ ଯୋଡି ତୋ ପାଇଁ ଭିକ ମାଗ । ଏ ଇଲେକ୍ସନ ଭିଡ ଭିତରେ ତୋ ଇଞ୍ଜେକସନ ପାଇଁ ତୁ ଓଡିଶାବାସୀଙ୍କୁ ସାହାଯ୍ୟ ମାଗ । ମୁଁ ଆଉ କେତେ ବାର ଦୁଆର ହେବିରେ, କେତେ ମାଗିବିରେ, ମୋ କଥା କେହି ଶୁଣୁ ନାହାନ୍ତିରେ, ମୁଁ ଆଉ ପାରୁନି ଧନ ଆଉ ପାରୁନି... ହୁଏତ ତୁ ହାତ ଯୋଡିଲେ କାହା ହୃଦୟ ତରଳି ପାରେ, ସାହାଯ୍ୟର ମିଳିପାରେ...

Advertisment

ସରି ସରି ଆସୁଛି ସମୟ, କମି କମି ଆସୁଛି ଆୟୁଷ । ମାଆ-ଛୁଆଙ୍କ ମଝିରେ ମୃତ୍ୟୁ ଯେତେବେଳେ ଛକାପଞ୍ଝା ଖେଳୁଛି । ଛୁଆକୁ ଛଡାଇ ନେବାକୁ ମୃତ୍ୟୁ ଯେତେବେଳେ ମାଆକୁ ଡରାଉଛି, ଧମକାଉଛି । ସେତେବେଳେ ଏ ଅସହାୟ ମାଆଟା ବା ଆଉ କଣ କରିପାରିଥାନ୍ତା । ବାଧ୍ୟହୋଇ ନିଜ ପୁଅର ହାତକୁ ଯୋଡି ତାକୁ କହୁଛି ତୁ ବି ତୋ ପାଇଁ ମାଗ । ଓଃ ଏ ଦୃଶ୍ୟ ସତରେ ହୃଦୟବିଦାରକ । ଏ ଚିତ୍ରକୁ ଦେଖି କେବଳ ଭାବି ହେବ, କିଛି କହିହେବନି ।

ହାତରେ ଆଉ ମାତ୍ର ୪୫ ଦିନ । ମାର୍ଚ୍ଚ ୨୨କୁ ରାଜବୀରକୁ ୨ ବର୍ଷ ପୂରିବ । ଦେଢ ମାସ ଭିତରେ କୁନି ପୁଅକୁ ଦାମୀ ଇଞ୍ଜେକସନ ନଦେଲେ ହୁଏତ ସବୁଦିନ ପାଇଁ ମାଆଠୁ ଦୂରେଇ ଯାଇପାରେ ତା ସୁନାଧନ । ସେଥିପାଇଁ ପୁଅକୁ ୧୬ କୋଟିର ଇଞ୍ଜେକସନ ଦେବାକୁ ବାରଦୁଆର ବୁଲି ନେହୁରା ହେଉଛି ମାଆ । ହେଲେ ସବୁଆଡୁ ନିରାଶ ହେବା ପରେ ଶେଷରେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅର ପାଇଁ ଭିକ ମାଗିବାକୁ ଚାହୁଁଛି ମାଆ । ଆଶା ଅଛି, ହୁଏତ ମାଆର ଅସହାୟତା ଶୁଣି ରାଜ୍ୟ ସରକାର ସାହାଯ୍ୟ କରିପାରନ୍ତି କିମ୍ବା ଇଞ୍ଜେକସନର ବ୍ୟବସ୍ଥା କରେଇଦେଇ ପାରନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ହାତ ପାତୁଛି ମାଆ । ହେଲେ ତା କାନ୍ଦ କାହା କାନରେ ପଡୁନି କି କେହି ଶୁଣିବାକୁ ନାହାନ୍ତି ।

ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସଙ୍କ ଏକୋଇର ବୋଳା ବିଶିକେସନ ରାଜବୀର । କୁନିପୁଅର ରୋଗ ଆଉ ଚିକିତ୍ସା ପାଇଁ ୧୬ କୋଟିର ଇଞ୍ଜେକସନ କଥା ଓଡିଶାର କାହାକୁ ଅଛପା ନାହିଁ । ହେଲେ ମାଆଟି ଦୀର୍ଘ ଦିନ ହେବ କାନ୍ଦି କାନ୍ଦି ମାଗୁଥିଲେ ବି କିଛି ସୁଫଳ ମିଳୁନି ।

ଗୋଟେପଟେ ରାଜ୍ୟରେ ଭୋଟ ପାଇଁ ପ୍ରଚାର ଚାଲିଛି, ଅନ୍ୟପଟେ ଜଣେ ଅସହାୟ ମାଆ ପୁଅ ପାଇଁ ଭିକ୍ଷା ମାଗୁଛି । ହେଲେ ନା ଶୁଣୁଛନ୍ତି ନେତା, ନା ଶୁଣୁଛନ୍ତି ସରକାର, ନା ଶୁଣୁଛନ୍ତି ଜିରାରୁ ସିରା କାଢୁଥିବା ବିରୋଧୀ । କାହା ଆଖିକୁ ଦିଶୁନି ମାଆ ଆଖିର ଲୁହ, କାହା କାନରେ ପଡୁନି କୁନିପିଲାର କୋହ । ଯଦି ସତରେ ସଚ୍ଚୋଟ ନେତାଟିଏ ହୋଇଥିବେ ? ଯଦି ସରକାର ସମ୍ବେଦନଶୀଳ ହୋଇଥିବେ ତେବେ ରାଜବୀର ପାଇଁ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଶାସକ ବିରୋଧୀ ଏକାଠି ହେବେ । ଇଲେକ୍ସନରେ ଉଡୁଥିବା ଅଦୃଶ୍ୟ ଟଙ୍କାକୁ ଇଞ୍ଜେକସନ ପାଇଁ ଏକଜୁଟ କରି ରାଜବୀର ପାଇଁ ଦାନ କରିବା, ତାହା ହିଁ ହେବ ପ୍ରକୃତ ଜନସେବା, ଜଣେ ଲୋକ ପ୍ରତିନିଧିର ପ୍ରକୃତ ପରିଚୟ...

publive-image

ଆସନ୍ତୁ ଜନ୍ମଦିନ ପୂର୍ବରୁ ରାଜବୀରକୁ ନୂଆ ଜୀବନ ଦେବା । ସାହାଯ୍ୟ କରନ୍ତୁ, ଜଣେ ମାଆକୁ ତା ପୁଅକୁ ଫେରାଇ ଦିଅନ୍ତୁ...