ଏମିତି ବି ଚମତ୍କାର କରେ ବିଜ୍ଞାନ । ୪ ବର୍ଷ ତଳେ ମରିଯାଇଥିବା କୁନି ଝିଅକୁ ଭେଟିଲେ ମା’ । ପରସ୍ପରକୁ ଛୁଇଁଲେ, ଏକାଠି ଖେଳିଲେ, ଗେହ୍ଲି ଝିଅକୁ ଗେଲ କଲେ । 

32,235

କନକ ବ୍ୟୁରୋ : ସମ୍ପର୍କ । ଏହା ଏକ ଏମିତି ଶବ୍ଦ, ଯାହାର ସୀମା ନାହିଁ । ଆଉ ଏହି ସମ୍ପର୍କ ପାଇଁ କୌଣସି ନିଜ ଲୋକ ଆର ପାରିକୁ ଚାଲିଗଲେ, ସହଜରେ ଭୁଲି ହୁଏ ନାହିଁ ।  କିନ୍ତୁ ଥରେ ଭାବନ୍ତୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ଯଦି ଆପଣ ତାଙ୍କ ସହ ସାକ୍ଷାତ କରିପାରିବେ, ତେବେ ଆପଣ କେମିତି ଅନୁଭବ କରିବେ । ହୁଏତ ଏହା ଆଶ୍ଚର୍ଯ୍ୟଜନକ ଏବଂ ଭୟଭୀତ ହୋଇପାରେ, କିନ୍ତୁ ଏମିତି ହିଁ କିଛି ଘଟଣା ଘଟଛି ।

ନିକଟରେ ଜଣେ ମା’ ନିଜ ୭ ବର୍ଷର ଝିଅକୁ ଭେଟିଛନ୍ତି, ଯିଏ ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ରେ ଏକ ଅଜ୍ଞାତ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ଘଟଣାଟି ହେଉଛି କୋରିଆର ।

ଏକ କୋରିଆନ୍ ଟିଭି ସୋ’, ଯାହାର ନାଁ ହେଉଛି, ‘ମିଟିଙ୍ଗ ୟୁ’ । ଏହି ସୋରେ ନିଜ ମରିଯାଇଥିବା ଝିଅକୁ ଭେଟିଛନ୍ତି ଜଣେ ମା । ଆଉ ଏହା ସମ୍ଭବ ହୋଇପାରିଛି, କେବଳ ବୈଜ୍ଞାନିକ ଟେକ୍ନୋଲୋଜି ପାଇଁ ।

କେବଳ ଭେଟିନାହାନ୍ତି, ଦୁହେଁ ପରସ୍ପରକୁ ଛୁଇଁଛନ୍ତି । ଏକାଠି ଖେଳିଛନ୍ତି ଏବଂ ନିଜ ଝିଅକୁ ମନଭରି ଗେହ୍ଲ ମଧ୍ୟ କରିଛନ୍ତି ମା । ମାର ପଣତକାନିକୁ ପର କରି ଆରପାରିକୁ ଚାଲିଯାଇଥିବା ନିଜ ଝିଅକୁ ପୁଣି ଥରେ ଦେଖା କରିବାକୁ ଆସିବେ ବୋଲି କଥା ମଧ୍ୟ ଦେଇଛନ୍ତି ମା । ଏହି ମାଙ୍କ ନାଁ ହେଉଛି ଜଙ୍ଗ-ଜି-ସୁଙ୍ଗ । ଆଉ ଝିଅଟିର ନାଁ ହେଉଛି ନେଇୟାନ୍ ।

ବୈଜ୍ଞାନିକ ଟେକ୍ନୋଲୋଜି ଦ୍ୱାରା ଏମିତି ବି ସମ୍ଭବ ହୋଇପାରେ । ଭର୍ଚୁଆଲ୍ ରିୟଲିଟି ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି । ଭର୍ଚୁଆଲ୍ ରିୟଲିଟି ଜରିଆରେ ଝିଅ ନେଇୟାନର ଶରୀରକୁ ସମ୍ପୂର୍ଣ୍ଣ ଗଢାଯାଇଥିଲା । ତା ସ୍ୱର ମଧ୍ୟ ସେଥିରେ ଖଞ୍ଜା ଯାଇଥିଲା । ପୂରା ସେହିଭଳି ଭାବେ ଝିଅଟିକୁ ଗଢା ହୋଇଥିଲା, ଯେମିତି ବାସ୍ତବରେ ସେ ଦେଖାଯାଉଥିଲା । ଏହାକୁ ୭ଡି ଟେକ୍ନୋଲୋଜି କୁହାଯାଉଛି । ଯେଉଁଥିରେ ଆପଣଙ୍କୁ ସବୁକିଛି ସତ ଭଳି ଲାଗିବ ।

ଟିଭି ସୋରେ ମାଙ୍କୁ ପଚରାଯାଇଥିଲା, କଣ ଆପଣ ନିଜ ଝିଅକୁ ସବୁବେଳେ ମନେ ପକାଉଛନ୍ତି । ମା କହିଥିଲେ, ହଁ ମୋ ଝିଅକୁ ମୁଁ ସବୁବେଳେ ମନେ ପକାଉଛି । ଆଉ ଅନ୍ୟପଟୁ ଉତର ଆସିଥିଲା, ମା, ମୁଁ ମଧ୍ୟ ଆପଣଙ୍କୁ ବହୁତ ମନେ ପକାଉଛି । ଯେଉଁ ସ୍ୱର ଥିଲା ଝିଅ ନେଇୟାନର ।

ଦୀର୍ଘ ୪ ବର୍ଷ ପରେ ନିଜ ଝିଅକୁ ପୁଣି କୋଳରେ ପାଇ ମାଙ୍କ ଆଖିରେ ଲୁହ ଚାଲିଆସିଥିଲା । ହୁଏତ ବୈଜ୍ଞାନିକ ଟେକ୍ନୋଲୋଜି ଦ୍ୱାରା ଏହା ସମ୍ଭବ ହୋଇଥିଲା, କିନ୍ତୁ ନିଜ ଝିଅକୁ ପାଖରେ ପାଇ, ତାକୁ ମନଭରି ଗେହ୍ଲ କରିଥିଲେ ମା ।

ଆଉ ଏହାରି ଭିତର ବଡ ପ୍ରଶ୍ନ ଉଠୁଛି, ଜଣେ ମରିଯାଇଥିବା ବ୍ୟକ୍ତିଙ୍କୁ ତାଙ୍କ ପରିବାର ପରିଜନଙ୍କ ସହ ସାକ୍ଷାତ କରାଇବା ନୈତିକତା ଆଧାରରେ ଠିକ୍ ନା ଭୁଲ୍ । ଏବେ ସାରା ଦୁନିଆରେ ଏହାକୁ ନେଇ ଆରମ୍ଭ ହୋଇଛି ବଡ ବିତର୍କ ।