କନକ ବ୍ୟୁରୋ: ୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଥିବା କାରଣରୁ ଆମେରିକାର ଉତ୍ତର କେରୋଲିନା ଅନ୍ତର୍ଗତ ମୋରିସ୍‌ଭିଲ୍‌ ସହରରେ ରହୁଥିବା ପ୍ରିୟଙ୍କା ତିୱାରୀ ନାମ୍ନୀ ଜଣେ ଭାରତୀୟ ମହିଳାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି। ମୋରିସଭିଲସ୍ଥିତ ବାସଭବନରୁ ତାଙ୍କ ପୁଅର ଗଳିତ ଶବ ଉଦ୍ଧାର କରାଯାଇଛି। ସେଦିନ ସନ୍ଧ୍ୟା ୫.୩୫ରେ ୩୩ ବର୍ଷୀୟ ତିୱାରି ୯୧୧କୁ ଫୋନ୍‌ କରି ଜଣାଇଲେ ଯେ, ତାଙ୍କ ପୁଅ ନିଶ୍ଚଳ ହୋଇ ପଡ଼ିରହିଛି। ସେଠାରେ ପହଞ୍ଚି ପୁଲିସ ଓ ପାରାମେଡିକ୍‌ କର୍ମଚାରୀମାନେ ପୁଅର ‘ସିପିଆର୍‌’ କଲେ, କିନ୍ତୁ ତା’ର ଶ୍ବାସକ୍ରିୟା ଫେରିଲା ନାହିଁ।

Advertisment

ଶବ ପଚି ଆସିଥିବା ଦେଖି ପୁଲିସ ସୁନିଶ୍ଚିତ ହେଲା ଯେ, ପିଲାଟି କେତେ ଦିନ ତଳୁ ମରିଯାଇଛି। ସେମାନେ ଦେଖିଲେ ଘରେ ଖାଇବା ଜିନିଷ ପ୍ରାୟ କିଛି ନାହିଁ। ସେମାନେ ସୁନିଶ୍ଚିତ ହେଲେ ଯେ, ମୃତ୍ୟୁର ପ୍ରାୟ ମାସେ ଆଗରୁ ସେ ପିଲାର ଓଜନ ଖୁବ୍‌ ହ୍ରାସ ପାଇଥିଲା। ପିଲାଟି ନିର୍ୟାତନା ଓ ଅବହେଳା କାରଣରୁ ମରିଥିବା କଥା ତଦନ୍ତକାରୀମାନେ ସୁନିଶ୍ଚିତ ହୋଇଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।