କନକ ବ୍ୟୁରୋ: ୪ ବର୍ଷ ପୁଅକୁ ମା’ ହତ୍ୟା କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିଭଳି ଗୋଆର ହୋଟେଲ ରୁମ୍ ଭିତରେ ନିଜ ପୁଅକୁ ହତ୍ୟା କଲା ମା’ ତାହାର ସତ ଏବେ ସାମ୍ନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଅଣନିଶ୍ୱାସ ହୋଇ ପିଲାଟର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ।
ଅଣନିଶ୍ୱାସ ହେବାରୁ ୪ବର୍ଷର ପିଲାର ଛାତି ଓ ମୁହଁଟି ସିଝି ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ପିଲାର ନାକରୁ ବି ରକ୍ତ ବାହାରିଛି । ଏଥିରୁ ଅନୁମାନ କରାଯାଉଛି ଯେ, ତକିଆରେ ପିଲାକୁ ଚାପି ତାର ମାଆ ହତ୍ୟା କରିଥାଇ ପାରେ । ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ କମ୍ପାନୀ ସିଇଓ ସୂଚନା ସେଠ୍ ନିଜ ୪ ବର୍ଷର ପୁଅକୁ ଗୋଆ ବୁଲାଇ ନେଇ ସେଠାରେ ହୋଟେଲ ରୁମ୍ରେ ହତ୍ୟା କରିଥିଲେ । ଏହି ଖବର ପାଇ ସୂଚନାଙ୍କ ପୂର୍ବତନ ସ୍ୱାମୀ ଜାକାର୍ତାରୁ ଫେରିବା ପରେ ପୁଅ ମୃତଦେହର ପୋଷ୍ଟମର୍ଟମ କରାଇବାକୁ କହିଥିଲେ ।
୨୦୧୯ ମସିହାରେ ସୂଚନା ସେଠ୍ ଓ ବେଙ୍କଟ ରମଣ ପ୍ରେମ ବିବାହ କରିଥିଲେ । ୨୦୨୦ ମସିହାରେ ସୂଚନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ବୈବାହିକ ସମ୍ପର୍କରେ ବିବାଦ ନେଇ ସୂଚନା ୨୦୨୧ରେ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ତେବେ କୋର୍ଟ କିନ୍ତୁ ପିଲା ତାର ବାପାଙ୍କୁ ଭେଟିପାରିବ ବୋଲି କହିଥିଲେ । ସୂଚନାଙ୍କ ପୁଅ ସବୁବେଳେ ବାପାଙ୍କ ସହ ଦେଖା କରିବାକୁ ଜିଦ୍ କରୁଥିଲା । ଏହି କଥାକୁ ନେଇ ରାଗିଯାଇ ପୁଅକୁ ସୂଚନା ହତ୍ୟା କରିଥିବା ଜଣାପଡିଛି । ୬ ଜାନୁଆରୀ ଶନିବାର ପୁଅକୁ ଧରି ଗୋଆ ଯାଇଥିଲେ ସୂଚନା । ହେଲେ ସୋମବାର ହୋଟେଲ ଛାଡିବାବେଳେ ସାଥିରେ ପୁଅ ନଥିବା ସନ୍ଦେହ କରି ହୋଟେଲ କର୍ମଚାରୀ ପୋଲିସକୁ ଜଣାଇଥିଲେ । ପରେ ପୋଲିସ କ୍ୟାବ୍ ଡ୍ରାଇଭରକୁ ଗୋଡାଇ ବେଙ୍ଗାଲୁରୁରୁ ସୂଚନାଙ୍କୁ ଗିରଫ କରିଥିଲା । ସୁଟ୍କେଶ ଭିତରେ ପୁଅର ମୃତଦେହ ଧରି ସୂଚନା ବେଙ୍ଗାଲୁରୁ ଫେରୁଥିବା ବାଟରେ ପୋଲିସ ହାତରେ ଧରାପଡିଥିଲେ ।