ସ୍ୱାମୀର ପରକୀୟା ପ୍ରୀତି ହେଲା କାଳ । ରାଗରେ ୫ ସନ୍ତାନଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ତ୍ରୀ ।

981

କନକ ବ୍ୟୁରୋ: ନିଜର ୫ ସନ୍ତାନଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟା କରିବାକୁ ଟ୍ରେନ ଲାଇନକୁ ଡେଇଁଲେ ମହିଳା  । ହେଲେ ଅଳ୍ପକେ ବଞ୍ଚିଗଲେ । ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖିବା ପରେ ଏପରି ଚରମ ପଦକ୍ଷେପ ନେଇଥିଲେ ମହିଳା  । ଏପରି ଅଭାବନୀୟ ଘଟଣା ଘଟିଛି ଜର୍ମାନୀ ସୋଲିଙ୍ଗନ ଅଞ୍ଚଳର କ୍ରିଷ୍ଟିୟନ୍ କେ ।

‘ମିରର ୟୁକେ’ର ରିପୋର୍ଟ ମୁତାବକ, ୨୮ ବର୍ଷିୟା କ୍ରିଷ୍ଟିୟନ୍ ନିଜ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଜର ୫ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପ୍ରଥମେ ପିଲାମାନଙ୍କୁ ନିଶା ଔଷଧ ଖୁଆଇଲେ ତା’ ପରେ ତଣ୍ଟି ଚିପି ହତ୍ୟା କରିଥିଲେ । ହତ୍ୟା ପରେ ୫ ସନ୍ତାନଙ୍କ ମୃତଦେହକୁ ବେଡସିଟରେ ଗୁଡାଇ ବେଡ୍ ଉପରେ ରଖିଦେଇଥିଲେ । ସମସ୍ତ ମୃତ ସନ୍ତାନଙ୍କ ବୟସ ୧୧ ବର୍ଷରୁ କମ ।  ତାଙ୍କର ୬ ସନ୍ତାନ ଥିଲେ । ହେଲେ ବଡ ପୁଅ ଖେଳିବାକୁ ବାହାରକୁ ଯାଇଥିବାରୁ ବଞ୍ଚିଯାଇଥିଲା ।

ପିଲାମାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବା ପରେ  କ୍ରିଷ୍ଟିୟନ୍ ଆତ୍ମହତ୍ୟା କରିବାକୁ ଇସେଲଡୋର୍ଫ ସେଣ୍ଟ୍ରାଲ ଷ୍ଟେସନରୁ ରେଳ ଧାରଣା ଉପରକୁ ଡେଇଁପଡିଥିଲେ ବି ବର୍ତ୍ତି ଯାଇଥିଲେ । ଏନେଇ ଯାଞ୍ଚ କମିଟି ଛାନବିନ୍ କରିବା ପରେ ଜଣାପଡିଥିଲା ଯେ,  କ୍ରିଷ୍ଟିୟନ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଫଟୋରେ ଦେଖିଥିଲେ । ଏହାକୁ ସ୍ୱାମୀଙ୍କ ପରକୀୟା ପ୍ରୀତି ବୋଲି ସନ୍ଦେହ କରି ଏଭଳି ଦୟନୀୟ ଘଟଣା ଘଟାଇଥିଲେ । ତେବେ ପିଲାମାନଙ୍କୁ ହତ୍ୟା କରିବା ପୂର୍ବରୁ କ୍ରିଷ୍ଟିୟନ୍ ସ୍ୱାମୀଙ୍କୁ ମ୍ୟାସେଜ୍ କରି ସେ ଆଉ ତାଙ୍କ ପିଲାମାନଙ୍କୁ ଆଉ ଦେଖିପାରିବେ ନାହିଁ ବୋଲି ଜଣାଇଥିଲେ ।

ଏହି ଘଟଣାରେ ଯାଞ୍ଚ ଆଧାରରେ ୪୦ଜଣଙ୍କ ସାକ୍ଷୀକୁ ବିଚାର ଅଧିନକୁ ନେଇଥିଲେ କୋର୍ଟ  । ଏଥିରେ କ୍ରିଷ୍ଟିୟନ ଦୋଷୀ ପ୍ରମାଣିତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ବଞ୍ଚିଯାଇଥିବା ବଡ ପୁଅକୁ ନିଜ ଜେଜେମା’ଙ୍କ ପାଖକୁ ପଠାଇଦେଇଛି ପୋଲିସ୍ ।