ଲୋଭ ଆଗରେ ମାତୃତ୍ୱ ବଳି ପଡିଲା ! ସମ୍ପତ୍ତି ଲୋଭରେ ପୁଅକୁ ମାରିଲା ମା’ ।

46

ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ଛୋଟି ସାଦ୍ରି ଗାଁରେ ସମ୍ପତ୍ତି ବିବାଦ କାରଣରୁ ପୁଅକୁ ହତ୍ୟା କରାଇବା ଅଭିଯୋଗରେ ଜଣେ ମାଆ ଏବଂ ତାଙ୍କ ଜ୍ୱାଇଁଙ୍କ ସମେତ ଅନ୍ୟ ଚାରିଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି। ପୁଅକୁ ହତ୍ୟା କରାଇବା ପାଇଁ ମହିଳାଜଣକ ଜଣେ ସୁପାରି କିଲରଙ୍କୁ ଲକ୍ଷେ ଟଙ୍କା ଦେଇଥିଲେ। ସୁପାରି କିଲର୍ ଜଣକ ହେଉଛନ୍ତି ଜଣେ ଢାବା ମାଲିକ। ଏପ୍ରିଲ୍ ୭ ତାରିଖ ଜାତୀୟ ରାଜପଥ ୧୧୩ର ନିମ୍ବହେଡ଼ା ରାସ୍ତାର ରତି ତଲାଇ ନିକଟରେ ଏକ ନିର୍ଜନ ସ୍ଥାନରେ ପୋଲିସ ପୀଡ଼ିତଙ୍କ ଶବ ପାଇଥିଲେ। ହତ୍ୟା ଅପରାଧରେ ପୋଲିସ ପୀଡ଼ିତଙ୍କ ମାଆ ପ୍ରେମଲତା ସୂଥାର, ଭିଣୋଇ କୃଷ୍ଣ ସୂଥାର, ମହାଦେବ ଧଡ଼କ ଏବଂ ଗଣପତ ସିଂହଙ୍କୁ ଗିରଫ କରିଛି। ପୀଡ଼ିତ ୨୧ ବର୍ଷୀୟଙ୍କ ମାନସିକ ଭାରସାମ୍ୟ ଠିକ୍ ରହୁ ନଥିଲା ଏବଂ ସେ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଆସୁଥିଲା । ବାପାଙ୍କର ମୃତ୍ୟୁ ପର ଠାରୁ ସେ ମାଆଙ୍କ ପ୍ରତି ନିର୍ମମ ଆଚରଣ କରୁଥିଲା। ପୁଅର ନିର୍ୟାତନା ସହି ନ ପାରି ମାଆ କିଛି ଦିନ ବାମ୍ପୋରି ଗାଁ ସ୍ଥିତ ଝିଅଜୋଇଁଙ୍କ ଘରେ ରହୁଥିଲେ।ମାଆଙ୍କ ପାଖରେ ସମ୍ବଳ କହିଲେ ଥିଲା କିଛି ଜମି ଯାହାକୁ ସେ ଅନ୍ୟତମ ଅଭିଯୁକ୍ତ ମହାଦେବଙ୍କୁ ବିକ୍ରୟ କରିବାକୁ ଚାହୁଁଥିଲେ। କିନ୍ତୁ, ମୋହିତ ତାହା କରାଇ ଦେଉ ନ ଥିଲା। ତେଣୁ ମୋହିତକୁ ହତ୍ୟା କରିବା ପାଇଁ ମାଆ ଓ ଭିଣୋଇ ଷଡ଼ଯନ୍ତ୍ର କରିଥିଲେ ବୋଲି ପୋଲିସ କହିଛି।
ଏଥିପାଇଁ ସେମାନେ ମହାଦେବଙ୍କ ସହାୟତା ନେଇଥିଲେ। ସେ ଏଥିପାଇଁ ରାଣୀଖେଡ଼ା ଗାଆଁରେ ଢାବା ଚଳାଇଥିବା ବାମ୍ବୋରି ଗାଁର ଗଣପତ ସିଂହ ରାଜପୁତଙ୍କୁ ନିଜ ପ୍ଲାନରେ ସାମିଲ କରିଥିଲେ । । ଏପ୍ରିଲ୍ ୬ ତାରିଖ ଦିନ ମୋହିତ ଢାବାକୁ ଖାଇବାକୁ ଯାଇଥିବା ବେଳେ ଗଣପତ ଖାଇବାରେ ନିଦ ବଟିକା ମିଶାଇବା ସହ ତାଙ୍କୁ ମଦ ପିଇବାକୁ ଦେଇଥିଲେ। ଖାଇବା ପରେ ମୋହିତ ସେଠାରୁ ଚାଲିଯାଇଥିଲେ। ତାଙ୍କ ସହ ଗଣପତଙ୍କ କର୍ମଚାରୀ ଅନୀଲ ନାୟକ ମଧ୍ୟ ଯାଇଥିଲେ। ଗଣପତ ସେମାନଙ୍କୁ ଅନୁସରଣ କରିଥିଲେ। ସିବନା ନିକଟରେ ଉଭୟ ପୁନଃ ମଦ ପିଇବା ପରେ ମୋହିତ ଚେତା ହରାଇଥିଲେ। ଏହାର ସୁଯୋଗ ନେଇ କପଡ଼ା ଦ୍ୱାରା ଗଣପତ ତାଙ୍କର ବେକକୁ ଚିପି ହତ୍ୟା କରିଥିଲେ। ହତ୍ୟା ପରେ ଉଭୟ ଢାବାକୁ ଫେରି ଯାଇଥିଲେ। କିନ୍ତୁ ଏହି ଘଟଣାରେ ଟୋଲ୍ ପ୍ଲାଜାରେ ଥିବା ସିସିଟିଭି ଫୁଟେଜ୍ ଖୁବ୍ ସହାୟକ ହୋଇଥିଲା ଏବଂ ପୋଲିସ ଜେରା ବେଳେ ଅପରାଧୀ ଗଣପତ ସବୁ ସତ ସ୍ୱୀକାର କରିଥିଲା । ବର୍ତ୍ତମାନ ମାଆଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତିନି ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନିଆଯାଇଛି। ୫ମ ଅଭିଯୁକ୍ତ ଅନୀଲ କୁମାର ଏବେବି ଫେରାର ଅଛି।