କନକ ବ୍ୟୁରୋ: ତତଲା ପିଚୁ, ଦେହ-ହାତ ଜାଳି ଦେଉଥିବା ଖରା । ଆକାଶକୁ ଛୁଉଁଥିବା ଉଚ୍ଚା ଉଚ୍ଚା ମହଲା... ଭୋକକୁ ମାରି ଭାଗ୍ୟ ବଦଳାଉଥିବା ସହର ଛାତିରେ ଯେବେ ଏ ମା’ ଜଣକ ପାଦ ଚାପି ଚାପି ଆଗକୁ ବଢ଼େ, ଦାନା ଗଣ୍ଡାଏ ପାଇଁ ଅଳିଆ ମୁଣ୍ଡାଇ ମୁଣ୍ଡାଇ ଚାଲେ । ସେତେବେଳେ ଅଟକିଯାଏ ଆଖି, ଆଉ ଥମିଯାଏ ନିଃଶ୍ୱାସ ।

Advertisment

ଏ ମା’ ଜଣକ ଜାଣିଛି ସହରର ଅଧା ଅଳିଆକୁ ସଫା କରି ସାହୁକାରକୁ ଦେଲେ କିଛି ପଇସା ମିଳିବ । ପିଲାଙ୍କ ପେଟ ପୂରିବ ଆଉ ଦଇବ ଦେଉଥିବା ଦାରିଦ୍ର୍ୟତାର ଦହଗଞ୍ଜକୁ ସାମ୍ନା କରିବା ପାଇଁ ବଳ ଆସିବ । ବୋଧ ହୁଏ ସେଇଥି ପାଇଁ ଏ ମା’ ଜଣକ ଚାକଚକ୍ୟ ଭରା ଭୁବନେଶ୍ୱରରେ ଅଳିକୁଣ୍ଡରେ ଆଖି ପକାଉଛି, ଯାହା ମିଳୁଛି ତାକୁ ସାଉଣ୍ଟି ଆଣି ଅଖାରେ ଭର୍ତ୍ତି କରିଦେଉଛି । କବାଡ଼ିଖାନାରେ ବସ୍ତା ବସ୍ତା ଝାଳବୁହା ଅଦରକାରୀ ଜିନିଷ ଦେଇ, ଭୋକ ମେଣ୍ଟାଇବାକୁ ବୋଝ ମୁଣ୍ଡାଇ ଚାଲିଛନ୍ତି ।

କୁହନ୍ତି ବୟସ ବଢ଼ିଲେ କୁଆଡେ ବଳ ସରିଯାଏ । ସବୁ ମାଆଙ୍କ ଭଳି ଏ ମାଆର ପାଦ ଆଉ ଦମ୍ଭିଲା ଶରୀରକୁ ଦେଖିଲେ ବୟସ ନାମକୁ ମାତ୍ର । ଖରାତରା କିଛି ଫରକ ପଡେନି, ଟାଣୁଆ ପାଦରେ ଧାନ ଖେଳାଉଥିବା ବୁଢ଼ୀ ମାଆ ଜଣକ ଶ୍ରମର ସପାହୀ ଭଳି କାମ କରିଚାଲିଛି ।

ମାତୃ ଦିବସରେ ମା’ ପାଇଁ କ’ଣ ଅବା ଲେଖିବା, ତାକୁ କେଉଁ ଉପମା କେଉଁ ଅଳଙ୍କାର ଦେଇ ବର୍ଣ୍ଣନା କରିବା?? ବାସ୍ ଏହି ଚିତ୍ରରେ ମାଆର ମମତାକୁ ବଖାଣିବାକୁ ଚେଷ୍ଟା କରିବା...

ମାଆ ତୁ ଏତେ ସହିପାରୁ କେମିତି?

ନିଜେ ଖରାରେ ଛିଡ଼ାହୋଇ, ମୋତେ ଦେଉଥାଉ ଛାଇ
ତୋ ଚିରା ପଣତଟି ପୃଥ୍ୱିବୀ ମୋ ପାଇଁ
ସବୁ ବିପଦକୁ ସାମ୍ନାକରିବାକୁ ଯୋଦ୍ଧା ପାଲଟିଯାଉ
ତେତେ ମା’ ମମି, ନା ମାମା ନା ଡାକିବି ବୋଉ
ମୋ ମୁଣ୍ଡରେ ତୋ ଆଶୀର୍ବାଦ ଏମିତି ଥାଉ...