କାୟା ବିସ୍ତାର କରୁଛି କରୋନା : ୧୧୦୦ ଙ୍କ ମୁଣ୍ଡ ନେଲାଣି ଭାଇରସ୍ , କରୋନା ପ୍ରସୂତିଙ୍କ ଠାରୁ ଜନ୍ମନେଲା ସୁସ୍ଥ ଶିଶୁ ।

176

କରୋନା ଭାଇରସ ନାମ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ମୃତ୍ୟୁର ଭୟ ଲୋକଙ୍କୁ ଘାରୁଛି। ଏହି ସମୟରେ କରୋନା ଭାଇରସରେ ଆକ୍ରାନ୍ତ ଚୀନର ଜଣେ ମହିଳା ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁଟିର ଓଜନ ୩.୫ କେଜି ରହିଛି। ନବଜାତ ଶିଶୁଟିର କରୋନା ଭାଇରସ ପରୀକ୍ଷା କରାଯାଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା । ଡାକ୍ତରଙ୍କ ନିରୀକ୍ଷଣରେ ଶିଶୁଟିକୁ ରଖାଯାଇଛି। ସୁସ୍ଥ ଶିଶୁ ଜନ୍ମ ହେବା ପରେ ଟୁଇଟରେ ମହିଳାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଶିଶୁଟିର ମା’ଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଚୀନର ସରକାରୀ ମିଡିଆ ଆଉଟଲେଟ ସିନ୍ହୁଆ ସୁସ୍ଥ ଶିଶୁକୁ ନେଇ ଏକ ଭିଡିଓ କ୍ଳିପ୍ ଟୁଇଟ୍ କରିଛନ୍ତି । ଏହାର ଶୀର୍ଷକ ଦିଆଯାଇଛି ‘ଲକି ବେବି’। ଏତଦ୍ ବ୍ୟତୀତ କରୋନା ଭାଇରସରେ ସଂକ୍ରମିତ ଭାରତର ପ୍ରଥମ ବ୍ୟକ୍ତି ଏବେ ରୋଗମୁକ୍ତ ହୋଇଥିବା ନେଇ ଗତକାଲି ଖବର ଆସିଥିଲା। ସେ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ଜାନୁଆରି ୩୦ ରେ ତାଙ୍କ ରକ୍ତରେ କରୋନା ଭାଇରସ ଥିବା ଜଣାପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଅଲଗା ରଖାଯିବା ସହ ଚିକିତ୍ସା କରାଯାଉଥିଲା ।

ଅନ୍ୟ ପକ୍ଷରେ କରୋନା ଭାଇରସ ମହାମାରୀ ଭଳି ବ୍ୟାପିବା ପରେ ଚୀନର ରାଷ୍ଟ୍ରପତି ଜିଂପିଂ ପ୍ରଥମ ଥର ପାଇଁ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି । ଜିଂପିଂ ହସ୍ପିଟାଲ୍ କର୍ମକର୍ତ୍ତାଙ୍କ ସହିତ କଥା ହେବା ସହ କରୋନା ଭାଇରସ ବ୍ୟାପିବା ନେଇ ହସ୍ପିଟାଲରେ ହୋଇଥିବା ସ୍ଵତନ୍ତ୍ର ବ୍ୟବସ୍ଥାକୁ ବୁଲି ବୁଲି ଦେଖିଛନ୍ତି । ସୂଚନାଯୋଗ୍ୟ, ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୧୦୦ କୁ ବୃଦ୍ଧି ହୋଇଛି। ବିଶ୍ବରେ ୪୩,୦୯୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏକ ସପ୍ତାହ ପୂର୍ବରୁ ଉତ୍ତରପୂର୍ବ ଚୀନରେ ଜଣେ କରୋନା ଭାଇରସ ଆକ୍ରାନ୍ତ ପ୍ରସୂତି ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ ।