କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ପ୍ରସିଦ୍ଧ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ଯିଏ ସମସ୍ତଙ୍କୁ ହସେଇ ହସେଇ ବେଦମ୍ କରୁଥିଲେ ହେଲେ ଆଜି ସମସ୍ତଙ୍କୁ ଲୁହରେ ଭିଜାଇ ଆରପାରିକୁ ଚାଲିଗଲେ । ଜିମରେ ହୃଦଘାତ ପରେ ଦିଲ୍ଲୀ ଏମ୍ସରେ ୪୨ ଦିନ ଚିକିତ୍ସାଧୀନ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ନିଧନରେ ଆଜି ବିଭିନନ ମହଲରେ ଶୋକର ଛାୟା । ଲୋକେ ଯାହାଙ୍କୁ କମେଡିଆନ୍ ରାଜୁ ଭାବେ ଜାଣିଥିଲେ ତାଙ୍କ ଚଲାପଥରେ ରହିଥିଲା ଅନେକ ରୋଚକ କାହାଣୀ,ଆସନ୍ତୁ ଜାଣିବା ତାଙ୍କର ସକସେସ୍ ଷ୍ଟୋରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଧୁନିକ ସମାଜରେ ଜୀବନର ବ୍ୟବସ୍ତତାକୁ ନେଇ ଉଦାସ ହୋଇପଡୁଥିବା ମଣିଷକୁ ହସେଇ ହସେଇ ବେଦମ କରୁଥିଲେ ରାଜୁ ଶ୍ରୀବାସ୍ତବ । ୧୯୬୩ ଡିସେମ୍ପର ୨୫ ତାରିଖ କାନପୁରରେ ଜନ୍ମଗ୍ରହଣ କରିଥିଲେ ରାଜୁ ଶ୍ରୀବାସ୍ତବ । ପିଲାବେଳୁ ହିଁ ଭାରି ଗପୁଡା ଥିଲେ ରାଜୁ । ସମସ୍ତଙ୍କୁ ମଜା ମଜା କଥାରେ ହସେଇବା ତାଙ୍କର ଏକ ସହଜାତ ଗୁଣ ଥିଲା । ସ୍କୁଲରେ ପାଠ ପଢା ସମୟରେ ପଢା ଅପେକ୍ଷା ହସମଜାକରେ ଅଧିକ ସମୟ କାଟୁଥିଲେ । ଅନେକ ସମୟରେ ଶକ୍ଷକ ମାନଙ୍କର ମିମିକ୍ରି କରି ସାଙ୍ଗ ମାନଙ୍କୁ ହସାଉଥିଲେ । ସ୍କୁଲରେ ଯେତେବେଳେ କ୍ରିକେଟ ଟୁର୍ଣ୍ଣମେଣ୍ଟ ହେଉଥିଲା ତାଙ୍କୁ କମେଣ୍ଟ୍ରି କରିବାକୁ ଡାକରା ପଡୁଥିଲା ।
ତାଙ୍କର ମଜାଳିଆ ଅନ୍ଦାଜ ହିଁ ତାଙ୍କୁ କମ୍ ବୟସରୁ ସମସ୍ତଙ୍କ ପାଖରେ ଲୋକପ୍ରିୟ କରିବାକୁ ଆରମ୍ଭ କଲା । ଯେତେବେଳେ ପଡେଶୀଙ୍କ ଘରେ କୌଣସି ଜନ୍ମିଦନ ବା ପାର୍ଟି , ମହୋତ୍ସବ ହୁଏ ପାଇଁ ରାଜୁଙ୍କୁ ଡାକନ୍ତି । ଯୁଆଡେ ଯାଉଥିଲେ ଘରକୁ ଫେରିବାକୁ ଡେରି କରୁଥିଲେ । ଫଳରେ ଘରେ ମା’ଙ୍କ ଠାରୁ ଗାଳି ଶୁଣିବାକୁ ପଡୁଥିଲା ।
ମା’ ଚାହୁଁଥିଲେ ପୁଅ ତାଙ୍କର ଆଇପିଏସ ହେଉ , ସୁନାମ ଆଣୁ । ହେଲେ କିନ୍ତୁ ରାଜୁଙ୍କର ଅନ୍ୟ କିଛି ଇଚ୍ଛା ଥିଲା । ରାଜୁ ସୁନାମ ତ ଆଣିଲେ ହେଲେ ଆଇପିଏସ ହୋଇ ନୁହେଁ ବରଂ ଜଣେ ପ୍ରସିଦ୍ଧ କମେଡିଆନ୍ ହୋଇ । ପିଲାବେଳୁ ହିଁ କମେଡି କରିବାକୁ ଚାହୁଁଥିଲେ । ଭଗବାନ୍ ତାଙ୍କର ଏହି ଇଚ୍ଛାକୁ ପୂରଣ ମଧ୍ୟ କରିଥିଲେ । ତାଙ୍କ ଜୀବନରେ ଟର୍ଣ୍ଣିଙ୍ଗ ପଏଣ୍ଟ ସେତେବେଳେ ଆସିଲା ଯେତେବେଳ ସେ ‘ସୋଲେ’ ମୁଭି ଦେଖିଲେ । ଏଥିରେ ଅଭିତାଭ ବଚ୍ଚନଙ୍କର ଚରିତ୍ରକୁ ଏତେ ପସନ୍ଦ କରିଥିଲେ ଯେ, ଯୁଆଡେ ଗଲେ ଅମିତାଙ୍କ ମିମିକ୍ରି କରିବାକୁ ଲାଗିଲେ , ଯାହା ତାଙ୍କୁ ଲୋକପ୍ରିୟ କରିବାକୁ ଆରମ୍ଭ କଲା । ହେଲେ ନିଜକୁ କେବଳ କାନପୁର ଓ ଏହାର ଆଖପାଖ ଅଞ୍ଚଳରେ ସୀମିତ ରଖିବାକୁ ଚାହୁଁନଥିଲେ ।
୧୯୮୨ ମସିହାରେ ରାଜୁ ମୁମ୍ବାଇ ଚାଲିଆସିଲେ । ପ୍ରଥମେ ଏକ ଅର୍କେଷ୍ଟ୍ରା ଗ୍ରୁପରେ ଯୋଗ ଦେଇ କମେଡି ଆରମ୍ଭ କଲେ । ଏହି ସମୟ ମଧ୍ୟରେ ତାଙ୍କ ସହ ଏକ ଘଟଣା ଘଟିଲା । ଏକ ଶୋ’ରେ କମେଡି କରୁଥିଲେ । ଶୋ’ ଶେଷ ବେଳକୁ ଜଣେ ବୟସ୍କ ବ୍ୟକ୍ତି ତାଙ୍କ ପାଖୁ ଅସିଥିଲେ ଓ ତାଙ୍କ ହାତରେ ୫୦ ଟଙ୍କିଆ ନୋଟଟେ ଧରାଇଥିଲେ । ପଚାରିବାରୁ କହିଥିଲେ, ସେ ତାଙ୍କର ଭରପୁର ମନୋରଞ୍ଜନ କରିଥିବାରୁ ଏହା ତାଙ୍କର ପ୍ରାପ୍ୟ । ବାସ୍ ଏତିକିରେ ରାଜୁଙ୍କ ମୁଣ୍ଡରେ କମେଡିକୁ ନେଇ ଜଣେ ପକ୍କ୍ା ପ୍ରଫେସନାଲ ହେବାକୁ ଇଚ୍ଛା ସୃଷ୍ଟି ହୋଇଥିଲା ।
ପରେ ଆରମ୍ଭ ହୋଇଥିବା କମେଡି ଶୋ’ ‘ଦ ଗ୍ରେଟ୍ ଲାଫ୍ଟର ଚ୍ୟାଲେଞ୍ଜ’ରେ ଅଂଶ ଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କଲେ ଆଉ ସମସ୍ତଙ୍କ ହୃଦୟରେ ରାଜ କରିବାକୁ ଆରମ୍ଭ କଲେ । ବାସ୍ ସେବେଠାରୁ ଆଉ ପଛକୁ ଚାହିଁନଥିଲେ ରାଜୁ ଶ୍ରୀବାସ୍ତବ ।
ସବୁବେଳେ ଲୋକଙ୍କୁ ହସେଇ ହସେଇ ବେଦବ କରୁଥିବା ରାଜୁ ଆଉ ନାହାଁନ୍ତି । ହୃଦଘାତର ଶିକାର ହୋର ଗତ ୪୨ ଦିନ ହେବ ଦିଲ୍ଲୀ ଏମ୍ସରେ ଚିକିତ୍ସା ହେବା ପରେ ଆଜି ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ତାଙ୍କ ବିଚ୍ଛେଦରେ ଆଜି ସମସ୍ତଙ୍କ ଆଖିରେ ଲୁହ ।