କରୋନା ଉଜାଡ଼ି ଦେଉଛି ପରିବାର : ପୁଅର ମୃତ୍ୟୁ ଖବର ଶୁଣି ହୃଦଘାତରେ ପ୍ରାଣ ହରାଇଲେ ମାଆ

417

କନକ ବ୍ୟୁରୋ : କରୋନାରେ ପୁଅର ମୃତ୍ୟୁ ଖବର ଶୁଣି ହୃଦଘାତରେ ପ୍ରାଣ ହରାଇଲେ ମାଆ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଯାଜପୁର ବ୍ୟାସନଗର ସହରର ଧବଳଗିରି ଅଂଚଳରେ । ସୂଚନା ମୁତାବକ, ଚୈତନ୍ୟ ଆରୁଖ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଶୈଳବାଳା ଆରୁଖ ଓ ପୁଅ ରତିରଂଜନ ଆରୁଖଙ୍କୁ ନେଇ ଧବଳଗିରି ଅଂଚଳରେ ରହୁଥିଲେ । ଚୈତନ୍ୟ ରଙ୍ଗ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଗତ ୮ ଦିନ ତଳେ ଏହି ପରିବାରକୁ କରୋନା ଗ୍ରାସ କରିଥିଲା ।

ବାପା, ମା ଓ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବାପା ଓ ପୁଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଟାଟା କୋଭିଡ ହସ୍ପିଟାଲ ଭର୍ତି କରାଯାଇଥିଲା । ମାଆ ନିଜ ଘରେ ହୋମ୍ ଆଇସୋଲେସନ ଥିଲେ । ୨୮ ବର୍ଷିୟ ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ହୃଦଘାତରେ ମାଆଙ୍କର ଜୀବନ ଚାଲିଯାଇଛି । ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଚୈତନ୍ୟ ଏବେବି କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।