କରୋନାରେ ପୁଅର ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ୍ ମଧ୍ୟରେ ଚାଲିଗଲା ମା’ଙ୍କର ପ୍ରାଣ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାପା ।

428

କନକ ବ୍ୟୁରୋ : ପୁଅର କରୋନାରେ ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ ମଧ୍ୟରେ ମା ଙ୍କୁ ହେଲା ହୃଦଘାତ । ଆଉ ପୁଅ ପରେ ପରେ ଆରପାରିକୁ ଚାଲିଗଲେ ମା । ଯାଜପୁର ଜିଲ୍ଲା ବ୍ୟାସନଗରର ଧବଳଗିରିରେ ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି ।

ମିଳିଥିବା ସୂଚନା ମୁତାବକ ଚୈତନ୍ୟ ଆରୁଖ ନିଜ ପତ୍ନୀ ଶୈଳବାଳା ଆରୁଖ ଓ ୨୮ ବର୍ଷର ପୁଅ ରତିରଞ୍ଜନ ଆରୁଖ ରହୁଥିଲେ । ପେସାରେ ଏକ ରଙ୍ଗ ଦୋକାନ କରି ବ୍ୟବସାୟ କରୁଥିବା ଚୈତନ୍ୟଙ୍କ ପରିବାରକୁ ୭ ଦିନ ତଳେ କରୋନା ଗ୍ରାସ କରିଥିଲା ।ବାପା-ମା- ପୁଅ ପଜିଟିଭ ହେଲେ ବି ପୁଅ ଓ ବାପାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ମା ଶୈଳବାଳା ଆରୁଖ ଘରେ ଆଇସୋଲେସନରେ ଥିଲେ । ଆଜି ସକାଳ ୧୦ଟାରେ ପୁଅର ମୃତ୍ୟୁ ଖବର ଶୁଣିବାର ୧୦ ମିନିଟ ପରେ ହୃଦଘାତରେ ଶୈଳବାଳାଙ୍କର ଜୀବନ ଚାଲିଯାଇଛି । ଏବେ ବି ଚୈତନ୍ୟ ମେଡିକାଲରେ ଚିକିତ୍ସାଧୀନ ହେଉଥିବାବେଳେ ଏହି ଖବର ଜଣାପଡିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।