ନିଜ ଝିଅର ପିଲାକୁ ଜନ୍ମ ଦେଲେ ୫୧ ବର୍ଷିୟ ମହିଳା । ଜନ୍ମ କରିବା ପରେ ପାଲଟିଗଲେ ଜେଜେମା । ଝିଅ କହିଲା ମୋ ମା ରକ୍ ଷ୍ଟାର

2,874

କନକ ବ୍ୟୁରୋ : ଜଣେ ମହିଳା ପିଲା ଜନ୍ମ କରିବା ପରେ ସେହି ପିଲାର ସେ କ’ଣ ହେବ ବୋଲି ଯଦି କେହି ପ୍ରଶ୍ନ କରେ ତେବେ ଆପଣ ବିନା ସଂଶୟରେ କହିବ ଯେ ସେ ମହିଳା ଜଣଙ୍କ ସେ ପିଲାର ମା’ । ସେହି ପିଲା ବଡ ହେବା ପରେ ସେହି ମହିଳାଙ୍କୁ ମା’ ବଉ କିମ୍ବା ଟିକେ ଆଧୁନିକ ହୋଇଥିଲେ ମମି ବୋଲି ଡାକିବ । ହେଲେ ଆମେ ଆପଣଙ୍କୁ ଯେଉଁ ଖବର ଜଣାଇବାକୁ ଯାଉଛୁ ସେହି ଖବର ମୁତାବକ ମହିଳା ଜଣଙ୍କ ଜନ୍ମ କରିଥିବା ପିଲାଟି ତାଙ୍କୁ ଜେଜେମା ବୋଲି ଡାକିବ । ହଁ ଡାକିବାକୁ ବି ସେ ବାଧ୍ୟ ଏବଂ ବାସ୍ତବରେ ଜନ୍ମ କରିଥିବା ମହିଳା ଜଣଙ୍କ ହେଉଛନ୍ତି ସେହି ପିଲାର ଜେଜେମା ।

ଆମେ କହୁଛୁ ଜେଣ ୫୧ ବର୍ଷିୟ ମହିଳାଙ୍କ କଥା । ଯେ କି ଆମେରିକାର ଚିକାଗୋ ସହରରେ ରୁହନ୍ତି । ମହିଳା ଜଣଙ୍କର ନାମ ହେଉଛି ଜୁଲି। ଜୁଲି ୫୧ ବର୍ଷରେ ପଦାର୍ପଣ କରିଥିଲେ ବି ତାଙ୍କ ଶାରିରୀକ ଗଠନ ଏବେ ବି ଶକ୍ତିଶାଳୀ ରହିଛି । ସୂଚନା ମୁତାବକ ଏହି ମହିଳାଙ୍କର ଗୋଟିଏ ମାତ୍ର ଝିଅ ଓ ତାଙ୍କ ନାମ ବ୍ରିଏନା । ବ୍ରିିଏନାଙ୍କ ବିବାହାକୁ ଅନେକ ବର୍ଷ ବିତିଗଲା ପରେ ବି ବ୍ରିଏନା ଗର୍ଭଧାରଣ କରିପାରୁ ନଥିଲେ । ଗର୍ଭଧାରଣ କରିବାପାଇଁ ତାଙ୍କ ଗର୍ଭାସୟ ସୁସ୍ଥ ନଥିଲା ।

ଏନେଇ ସେ ଚିନ୍ତାରେ ଥିବା ବେଳେ ଶାଶୂଘର ପକ୍ଷରୁ ତାଙ୍କୁ ବି ଏନେଇ ଅନେକ କୁତ୍ସାରଟନା କରାଯାଉଥିଲା । ହେଲେ ବ୍ରିଏନା ମା ହେବା ପାଇଁ ସବୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ଡାକ୍ତର ତାଙ୍କୁ ସରୋଗ୍ରେସୀ ମଦର ସହାୟତାରେ ମା’ ହେବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏନେଇ ଜଣେ ମହିଳା ଯୋଗାଡ କରିବା କଷ୍ଟକର । କାରଣ ଡାକ୍ତରଙ୍କ କହିବା ମୁତାବକ ଯିଏ ସରୋଗ୍ରେଟ୍ ମଦର ହେବ ସେ ନିଶ୍ଚିନ୍ତ ଭାବେ ସୁସ୍ଥ ହୋଇଥିବା ଦରକାର । ଏହା ସହ ଏହା ପୂର୍ବରୁ ସେ ପିଲା ଜନ୍ମ କରିଥିବା ଦରକାର ।

ଅନ୍ୟପଟେ ସେ ବିଶ୍ୱସ୍ଥ ହେବା ଆବଶ୍ୟକ କାରଣ ପିଲା ଜନ୍ମ କରିବା ପରେ ସେ ପିଲାକୁ ସେ ବ୍ରିଏନାକୁ ଦେବାକୁ ହେବ । ଅନ୍ୟଥା ସେ ଯଦି ମାତୃତ୍ୱକୁ ଆଳ କରି ପିଲାକୁ ନଦିଏ ତେବେ କଥା ସରିଲା । ଏମିତି ଚିନ୍ତା କରିବା ଭିତରେ ବ୍ରିଏନାଙ୍କ ମନକୁ ଆସିଲା ତାଙ୍କ ମା’ ଜୁଲିଙ୍କ କଥା । ପ୍ରଥମ ତ ଜୁଲି ସୁସ୍ଥ ସବଳ ଥିଲେ । ଦ୍ୱିତୀୟତ ସେ ବ୍ରିଏନାଙ୍କ ନିଜ ମା ହୋଇଥିବାରୁ ବ୍ରିଏନାଙ୍କୁ ପିଲାଟି ମିଳିଯିବା ସହଜ ହେବ । ଏହା ପରେ ବ୍ରିଏନା ମା ଜୁଲିକୁ ଧରି ଡାକ୍ତରଙ୍କ ପାଖରେ ପହଂଚିଲେ । ଡାକ୍ତର ଜୁଲିଙ୍କର ବିଭିନ୍ନ ପରୀକ୍ଷା କରିସାରିବା ପରେ ଜୁଲି ସରୋଗ୍ରେଟ୍ ମଦର ହେବାରେ କିଛି ଅସୁବିଧା ନାହିଁ ବୋଲି ଡାକ୍ତର କହିବା ପରେ ଆରମ୍ଭ ହେଲା ୫୧ ବର୍ଷିୟ ଜୁଲିଙ୍କୁ ଗର୍ଭଧାରଣ କରାଇବାର ପ୍ରକ୍ରିୟା । ଏହାପରେ ଜୁଲି ନିଜ ଜ୍ୱାଇଁଙ୍କ ଭୃଣକୁ ଗର୍ଭରେ ଧାରଣ କରି ହୋଇଗଳେ ଗର୍ଭବତୀ । ଶେଷରେ ଜୁଲି ପିଲା ଜନ୍ମ କଲେ ଓ ଜନ୍ମିତ ପିଲାକୁ ବ୍ରିଏନାଙ୍କ ହାତକୁ ଟେକିଦେଇ ବନିଗଲେ ଜେଜେମା ।

ଏନେଇ ବ୍ରିଏନା କହିଛନ୍ତି କି ତାଙ୍କ ମା ଜଣେ ରକ୍ ଷ୍ଟାର । ସେ ଯେମିତି ଭାବେରେ ଏହି ବୟସରେ ନିଜ ଝିଅକୁ ମା ହେବାର ସୌଭାଗ୍ୟ ଦେଲେ ତାହା ଏକ ବିରଳ ଘଟଣା ବୋଲି ବ୍ରିଏନା କହିଛନ୍ତି । ଅନ୍ୟପଟେ ଜୁଲି କହିଛନ୍ତି କି ଏଭଳି ସ୍ଥିତିରେ ବି ମୁଁ ବେସ୍ ସହଜ ଥିଲି । ହେଲେ ୩ ଦଶନ୍ଧି ପରେ ପୁଣି ଗର୍ଭଧାରଣ କରିଥିବାରୁ ମନରେ ଟିକେ ଡର ବି ଥିଲା । ହେଲେ ଝିଅର ସୁଖ ପାଇଁ ସବୁ କରିବାକୁ ମୁଁ ପ୍ରସ୍ତୁତ ଥିଲି ।

କହିରଖୁ କି ସରୋଗ୍ରେସୀ ମଦର ଏକ ଏମିତି ଚୁକ୍ତି କି ଯାହା ନିସନ୍ତାନ ଦମ୍ପତି ଓ ଜଣେ ସୁସ୍ଥ ମହିଳାଙ୍କ ମଧ୍ୟରେ ହୋଇଥାଏ । ଏହି ଚୁକ୍ତି ମୁତାବକ ପିଲା ଜନ୍ମ ହେବା ଯାଏଁ ମହିଳା ଜଣଙ୍କ ତାଙ୍କ ଗର୍ଭକୁ ଭଡା ସୂତ୍ରରେ ଦେଇଥା’ନ୍ତି ଓ ତା ବଦଳରେ ସେ କିଛି ଟଙ୍କା ନେଇଥା’ନ୍ତି ।