କନକ ବ୍ୟୁରୋ: ଗାଡିର ଚକ ଗଡୁଛି, ଗାଡି ପଛେ ପଛେ ଗାଈ ଧାଉଁଛି । ଶେଷକୃତ୍ୟ ପାଇଁ ବାଛୁରୀ ଛୁଆକୁ ବୋହି ନେଉଥିବା ବେଳେ ଅଟୋ ପଛରେ ଧାଇଁ ଧାଇଁ ଆଖିରୁ ଲୁହ ଗଡାଉଛି ଗାଈ । ଆଉ ମାଆ ଗାଈର ଟୋପା ଟୋପା ଲୁହରେ ଭିଜୁଛି ରାଜଧାନୀର ରାସ୍ତା । ଏ ଦୃଶ୍ୟ ଆଜି ଭୁବନେଶ୍ୱରର ପ୍ରତିଟି ମଣିଷକୁ ଦୋହଲାଇ ଦେଇଛି । ମଣିଷ ଆଗରେ ପଶୁ ମାଆର ବେଦନା, ଦୁଃଖ ଓ ଛୁଆକୁ ହରାଇବାର ଯନ୍ତ୍ରଣା ଜଳଜଳ ହୋଇ ଦିଶିଯାଇଛି ଯେତେବେଳେ ଲକ୍ଷ୍ମୀବିହାର ଅଞ୍ଚଳରେ ଜଣେ ମଦ୍ୟପର ଗାଡି ଧକ୍କାରେ ବାଛୁରୀର ମୃତ୍ୟୁ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମାଆ ! କେବଳ ଗୋଟିଏ ଶବ୍ଦ ନୁହଁ । ଏହା ଭାବାବେଗ । ଛୁଆର ଅକୁହା କଥାକୁ ଅତି ସହଜରେ ବୁଝିଦିଏ ମା। ସେ ପଶୁ ହେଲେ ବି ମାଆ କେବଳ ମାଆ । ଗାଡି ଧକ୍କାରେ ଗାଈ ଓ ବାଛୁରୀ ଦୁହେଁ ଆହତ ହୋଇଥିଲେ। ଦୁର୍ଘଟଣାରେ ଗୁରୁତର ହୋଇଥିବା ବାଛୁରୀଟି କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରିଗଲା। ତା ମାଆକୁ ଛାଡି ଚିର ନିଦ୍ରାରେ ଶୋଇପଡିଲା । ଏକଥାକୁ ସହଜରେ ଗ୍ରହଣ କରି ନପାରିଲେ ବି ସତ୍ୟକୁ ସ୍ୱୀକାର କରି ସହର ଛାତିରେ ମଣିଷକୁ ଲୁହ ଲୁଚେଇ ନିଜ ଭିତରେ କାନ୍ଦୁଛି ମାଆ ।
ତେବେ ବାଛୁରୀର ଅନ୍ତିମ କର୍ମ ପାଇଁ ପଶୁ ପ୍ରେମୀମାନେ ଏକାଠି ହୋଇଥିଲେ। ଆଉ ସେହି ପ୍ରକ୍ରିୟାରେ ସାମିଲ ହୋଇଥିଲା ମା । ନିଜ ଛୁଆକୁ ହରାଇ ଭାଙ୍ଗି ପଡିଥିବା ମାଆ ନିଜକୁ ଅସହାୟ ମନେ କରୁଥିଲା । ପଶୁ ପ୍ରେମୀମାନେ ମୃତ ବାଛୁରୀର ଶବକୁ ମାଟିରେ ପୋତିବାକୁ ନିଷ୍ପତ୍ତି ନେଲେ। ଗାଡିରେ ବାଛୁରୀଟିକୁ ନେଇ ଆଗକୁ ଯାଉଥିବା ବେଳେ ଛୁଆର ଶବ ପଛେ ପଛେ ଦୌଡୁଥିଲା ଗାଈ । ତେବେ ରାଜଧାନୀ ଛାତି ଉପରେ ଏହି ଦୃଶ୍ୟକୁ ଯିଏ ଦେଖୁଥିଲା ତା ଆଖିର ଲୁହ ଆଉ ବୋଲ ମାନୁନଥିଲା ।