କନକ ବ୍ୟୁରୋ : ପୁଅର ମୃତଦେହ ପାଇଁ ପୋଲିସ ଆଗରେ ହାତ ପତାଉଛି ମାଆ । ଭୁବନେଶ୍ୱର ଏମ୍ସରେ ଦେଖିବାକୁ ମିଳିଛି ଏହି ଦୁଃଖଦ ଦୃଶ୍ୟ । ବିହାରରୁ ପୁଅର ମୃତଦେହ ନେବାକୁ ଆସିଥିବା ମାଆ ଏମ୍ସରେ ଜଗି ରହିଛି । ହେଲେ ପୁଅର ମୃତଦେହ ତାଙ୍କୁ ମିଳୁନି । ତେଣୁ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ନେହୁରା ହୋଇ କହୁଛି, ମୋତେ ଟଙ୍କା ପଇସା କିଛି ଦରକାର ନାହିଁ । ମୋତେ ମୋ ପୁଅର ମୃତେଦେହ ଦେଇ ଦିଅ ।
ବାହନଗା ଟ୍ରେନ ଦୁର୍ଘଟଣାରେ ହାଇଦ୍ରାବାଦ କାମ କରିବାକୁ ଯାଉଥିବା ପୁଅର ଜୀବନ ଯାଇଛି । ହେଲେ ନିଜ ଜନ୍ମକଲା ପୁଅକୁ ହରାଇଥିବା ଏହି ହତଭାଗିନୀ ମାଆକୁ ପୁଅର ମୃତଦେହ ମିଳିପାରୁନାହିଁ । କାରଣ ସେହି ସମାନ ମୃତଦେହକୁ ଅନ୍ୟଜଣେ ନିଜର ଆତ୍ମୀୟ କହି ଦାବି କରୁଛି । ତେଣୁ ଉଭୟ ଦାବିଦାରଙ୍କ ଡିଏନଏ ଟେଷ୍ଟ କରାଯାଇଛି । ଡିଏନଏ ରିପୋର୍ଟ ଆସିବା ପରେ ଯାଇ ମୃତଦେହ ମିଳିବ । ସେପଟେ ବିହାରରେ ମୃତକଙ୍କର ଦୁଇଟି ଛୁଆ ଓ ସ୍ତ୍ରୀ ଘରେ ଅଛନ୍ତି, ତେଣୁ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି ପୁରା ପରିବାର ।