ସାବାସ୍ ପ୍ରାଚୁର୍ଯ୍ୟା : ବୟସ ମାତ୍ର ୧୫ ।  ହେଲେ ସାହସିକତାର କଥା ସାରା ସହରରେ ଚର୍ଚ୍ଚା

57

କନକ ବ୍ୟୁରୋ: ବୟସ ମାତ୍ର ୧୫ ।  ହେଲେ ତାଙ୍କ ସାହସିକତାର କଥା ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଛି । କ୍ୟାଣ୍ଟନମେଣ୍ଟ୍ ରୋଡସ୍ଥିତ କ୍ରେମ୍ବିଜ୍ ସ୍କୁଲର ୯ମ ଶ୍ରେଣୀର ଛାତ୍ରୀ ପ୍ରାଚୁର୍ଯ୍ୟା ରଥ ମା’ ସ୍ନେହାଞ୍ଚଳିଙ୍କ ସୁନା ଚେନ୍ ଛିଣ୍ଡାଇ ନେଉଥିବା ଚୋରକୁ ବଳ ଓ ବୁଦ୍ଧି ଖଟାଇ କାବୁ କରିବା ଘଟଣା ଅନେକଙ୍କ ପାଇଁ ପ୍ରେରଣାର ବିଷୟ ହୋଇଛି । ପ୍ରାଚୁର୍ଯ୍ୟାଙ୍କ ସାହାସ ଯୋଗୁଁ ପୁଲିସ ଚୋରକୁ ଗିରଫ କରିବା ସହ ଗଡ଼ଖାଇରୁ ସୁନା ଚେନକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ।

ବାରବାଟୀ ଷ୍ଟାଡିୟମ ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ କଲୋନିରେ ରହନ୍ତି ବିଭାଗର କର୍ମଚାରୀ ପ୍ରଦୀପ ରଥ। ତାଙ୍କର ଦୁଇ ଝିଅ ମଧ୍ୟରେ ପ୍ରାଚୁର୍ଯ୍ୟା ବଡ଼ । ସେ କଳାବିକାଶ କେନ୍ଦ୍ରରେ ନାଚ ଶିଖନ୍ତି । ଶୁକ୍ରବାର ନାଚ ଶିଖିବାକୁ ସେ କେନ୍ଦ୍ରକୁ ଯାଇଥିଲେ । ରାତି ୮ଟାରେ ମା’ ସ୍ନେହାଞ୍ଜଳିଙ୍କ ସହିତ କେନ୍ଦ୍ରରୁ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଗୋଟିଏ ବାଇକରେ ତିନିଜଣ ଯୁବକ ସେମାନଙ୍କ ପିଛା କରିଥିଲେ । କିଛିବାଟ ପିଛା କରିବା ପରେ ଯୁବକମାନେ ସେମାନଙ୍କୁ ଅତିକ୍ରମ କରି ଆଗକୁ ଚାଲି ଯାଇଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ଅଫିସ ପାର ହୋଇ ମା’ ଝିଅ ପାଣିଟାଙ୍କି ରାସ୍ତା ଦେଇ କଲୋନି ଯିବା ବାଟରେ ଜଣେ ଯୁବକ ପୂର୍ବ ଯୋଜନା ମୁତାବକ ଗାଡିରୁ ଓହ୍ଲାଇ ସେମାନଙ୍କୁ ଉକ୍ତ ରାସ୍ତାରେ ଅପେକ୍ଷା କରିଥିଲା । ଅନ୍ଧାରର ସୁଯୋଗ ନେଇ ଚୋର ସ୍ନେହାଞ୍ଜଳିଙ୍କ ବେକରୁ ଚେନ ଛିଣ୍ଡାଇ ତାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲା । ଚେନ୍ ନେଇ ଚୋର କିଛି ଦୂରରେ ବାଇକ ଷ୍ଟାଟ୍ କରି ଅପେକ୍ଷାରେ ଥିବା ଦୁଇ ଯୁବକଙ୍କ ନିକଟକୁ ଦୌଡି ପଳାଉଥିବା ବେଳେ ପ୍ରାଚୁର୍ଯ୍ୟା ତାର ପିଛା କରିଥିଲେ ।

ଦୁର୍ବୃତ୍ତ ଗାଡ଼ିରେ ବସିବା ସମୟରେ ପ୍ରାଚୁର୍ଯ୍ୟା ତା’ର ସାର୍ଟକୁ ଟାଣି ଗାଡ଼ିରୁ ତଳେ ପକାଇ ମାଡି ବସିବା ସହ ବଡ ପାଟିରେ ଡାକ ଛାଡିଥିଲେ । ସେହି ସମୟରେ ମା’ ସ୍ନେହାଞ୍ଜଳି ମଧ୍ୟ ଚୋରକୁ ମାଡ଼ି ବସିବା ସହ ଡାକ ପକାଇଥିଲେ । ଚୋର ସହିତ ଧସ୍ତାଧସ୍ତି ହେବା ମଧ୍ୟରେ ପାଟି ଶୁଣି କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଲୋକଙ୍କୁ ଦେଖି ଦୁର୍ବୃତ୍ତ ମା’ ଝିଅଙ୍କୁ ଠେଲି ଦୌଡି ପଳାଇବା ସହ ଗଡ଼ଖାଇ ଭିତରକୁ ଡେଇଁ ପଡିଥିଲା । ପାଣି ଓ ଦଳ ଭିତରୁ ବାହାରି ଆସିବାକୁ ଲୋକେ କହୁଥିବା ବେଳେ ସେ ଉପରକୁ ଆସିନଥିଲା । ଶେଷରେ ଲୋକେ ପାଣି ଭିତରକୁ ପଥର ଫୋପାଡିବା ଆରମ୍ଭ କରିଦେଲେ । ପଥର ମାଡ ଭୟରେ ଚୋର ବାହାରକୁ ଆସିଥିବା ବେଳେ ଉପସ୍ଥିତ ଲୋକ ତାକୁ ନିସ୍ତୁକ ଛେଚି ପୁଲିସ ଜିମା ଦେଇଥିଲେ । ଗତକାଲି ସକାଳେ ପୁଲିସ ଉପସ୍ଥିତିରେ ଚୋରି ଚେନକୁ ଖୋଜା ଯାଇଥିଲା। ଗଡ଼ଖାଇକୁ ଡେଇଁବା ସମୟରେ ଦଳ ଉପରକୁ ଚେନଟିକୁ ଚୋର ଫେପାଡି ଦେଇଥିବାରୁ ତାହା ମିଳିଯାଇଥିଲା । ଗତ ବୁଧୁବାର ଦିନ ସୁନା ଚେନ୍ କିଣା ଯାଇଥିବା ବେଳେ ଗୁରୁବାର ଏହା ଚୋରି ହେବା ଏବଂ ଝିଅ ଯୋଗୁଁ ଏହା ଉଦ୍ଧାର ହେବା ଆମ ପାଇଁ ସ୍ୱପ୍ନପରି ଲାଗୁଛି ବୋଲି କହନ୍ତି ପ୍ରାଚୁର୍ଯ୍ୟାଙ୍କ ମା’ ସ୍ନେହାଞ୍ଜଳି ରଥ । ଅନ୍ୟପଟେ ଉକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଙ୍ଗ କରାଯାଉ ନଥିବାରୁ ଅନ୍ଧାର ରାସ୍ତାରେ ଅସାମାଜିକ ଦୁର୍ବୃତ୍ତ ଉତ୍ପାତ କରୁଥିବା ଅଭିଯୋଗ ହେଉଛି ।