ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହେଲା ବିଶ୍ୱର ସବୁଠାରୁ ବଡ ମୋଟେରା କ୍ରିକେଟ ଗ୍ରାଉଣ୍ଡ । ରାଷ୍ଟ୍ରପତି କଲେ ଉଦଘାଟନ

711

କନକ ବ୍ୟୁରୋ : ଗୁଜୁରାଟର ଅହମଦାବାଦ ଠାରେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ ଗ୍ରାଉଣ୍ଡ ମୋଟେରାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବୁଧବାର ଦିନ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରିଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ । ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ୍ ଖେଳାଯିବ । ସବୁଠାରୁ ବଡକଥା ହେଉଛି କି ଏହି ଷ୍ଟାଡିୟମର ନାମ ବଦଳାଇ ଏହାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ନାମିତ କରାଯାଇଛି ।

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କ ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟସ୍ ଏନକ୍ଲେବର ଭୂମି ପୂଜନ କରିଛନ୍ତି । କହିରଖୁ କି ପୂର୍ବବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମୋଟେରା ଷ୍ଟାଡିୟମରେ ଏକ ସଂୟୁକ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

କହିରଖୁ କି, ଆଜି ଠାରୁ ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ୍ ଖେଳାଯିବ । ନୂଆ ଷ୍ଟାଡିୟମରେ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ବୋଲି କୁହାଯାଇଛି । ଏହା ସହ ଏହି ଟେଷ୍ଟର ଶେଷ ତଥା ଚତୁର୍ଥ ମ୍ୟାଚ୍ ବି ଏହି ଷ୍ଟାଡିୟମରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି ।

ଅହମଦାବାଦରେ ନିର୍ମିତ ଏହି ଷ୍ଟାଡିୟମ ୬୩ ଏକର ଜମି ଓ ଉପରେ ନିର୍ମାଣ କରାଯାଇଛି । ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୧ ଲକ୍ଷ ୧୦ ହଜାର ହଜାର ଦର୍ଶକ ବସିପାରିବାର ସୁବିଧା ରହିଛି । ବିଶ୍ୱର ସବୁଠାରୁ ବଡମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟ୍’ ପରେ ଏହା ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ବୋଲି କୁହାଯାଇଛି । ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାକୁ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇଛି ।

ସୂଚନା ମୁତାବକ ପ୍ରଧାନମନ୍ତ୍ରୀଙ୍କର ଏହି ସ୍ୱପ୍ନର ପ୍ରୋଜେକ୍ଟ ପାଇଁ ୭୬ ଟି କର୍ପୋରେଟ୍ ବ୍ୟାଙ୍କ ସହାୟତା ଯୋଗାଇ ଦେଇଛନ୍ତି । ଏହାସହ ଏହି ଷ୍ଟାଡିୟମରେ ଅଲମ୍ପିକ୍ ଷ୍ଟାଡିୟମ ଭଳି ସ୍ୱିମିଂପୋଲ, ଇଣ୍ଡୋର ଏକାଡେମୀ, ଖେଳାଳୀଙ୍କ ପାଇଁ ୪ ଟି ଡ୍ରେସିଂ ରୁମ୍, ଫୁଡ କୋଟ୍ ଓ ଜିସିଏ କ୍ଲବ ହାଉସ୍ ଭଳି ସୁବିଧା ରହିଛି ।