ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ମୋଟେରାରେ ତୃତୀୟ ଟେଷ୍ଟ : ଅହମ୍ମଦାବାଦ ଯାଇ ନୂଆ ମୋଟେରା ଷ୍ଟାଡିୟମକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଗୋଲାପି ବଲରେ ଖେଳାଯିବ ଦିବାରାତ୍ର ମ୍ୟାଚ; ତିନ ପେସର, ଦୁଇ ସ୍ପିନରଙ୍କୁ ନେଇ ଖେଳିପାରେ ଭାରତ

140

କନକ ବ୍ୟୁରୋ : ବିଶ୍ୱର ସବୁଠୁ ବଡ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ । ଗୁଜୁରାଟର ଅହମ୍ମଦାବାଦରେ ଆଜିଠୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ ଦିବାରାତ୍ର ଖେଳାଯିବ । ପ୍ରଥମ ଥର ପାଇଁ ନୂଆରେ ତିଆରି ହୋଇଥିବା ମୋଟେରା ଷ୍ଟାଡିୟମର ଆଜି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ୬୩ ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମରେ ୧ଲକ୍ଷ ୧୦ ହଜାର ଦର୍ଶକ ଦେଖି ମ୍ୟାଚ ଦେଖିପାରିବେ । ଫଳରେ ଏବେ ବିଶ୍ୱରେ ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ତାଲିକାର ଶୀର୍ଷରେ ଥିବା ମେଲବର୍ଣ୍ଣକୁ ହଟାଇ ମୋଟେରା ଏବେ ବିଶ୍ୱର ନଂବର ୱାନ ଷ୍ଟାଡିୟମର ମାନ୍ୟତା ପାଇଛି ।

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅହମ୍ମଦାବାଦ ଯାଇ ଏହି ଷ୍ଟାଡିୟମର ଶୁଭାରମ୍ଭ କରିବେ । ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯିବା କାର୍ଯ୍ୟକ୍ରମ ରହିଛି । ୨୦୧୪ ମସିହା ପରେ ଏହି ଷ୍ଟାଡିୟମରେ କୌଣସି ମ୍ୟାଚ ଖେଳାଯାଇ ନାହିଁ । ୨୦୧୫ ମସିହାରୁ ୭ଶହ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ନୂଆ ଭାବେ ନିର୍ମାଣ ଆରମ୍ଭ ହୋଇଥିଲା ଯାହା ୨୦୨୦ ମସିହାରେ ଶେଷ ହୋଇଥିଲା । ମେଟେରା ହେଉଛି ବିଶ୍ୱର ପ୍ରଥମ ଓ ବିଶ୍ୱର ଏକମାତ୍ର ଷ୍ଟାଡିୟମ ଯେଉଁଠି ୧୧ଟି ମଲିଟପଲ ପିଚ ତିଆରି କରାଯାଇଛି । ଏହାଛଡା ବର୍ଷା ଯୋଗୁଁ ଏହି ଷ୍ଟାଡିୟମରେ ମ୍ୟାଚ ବାତିଲ ହେବ ନାହିଁ ।

ପଡିଆରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏପରି ଡ୍ରେନେଜ ବ୍ୟବସ୍ଥା କରାଯାଇଛି, ବର୍ଷା ହେଲେ ମାତ୍ର ଅଧଘଂଟାରେ ପଡିଆ ଶୁଖିଯିବ । ଆଜି ଅପରାହ୍ଣରୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ମ୍ୟାଚ ଜିତି ବରାବର ସ୍ଥିତିରେ ରହିଛନ୍ତି । ତେବେ ତୃତୀୟ ମ୍ୟାଚରେ ଇଂଲଣ୍ଡ ବିରୋଧରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଦଳ । ଆଜି ତିନି ପେସର ଓ ୨ ସ୍ପିନରଙ୍କୁ ନେଇ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବା ସମ୍ଭାବନା ରହିଛି ।