କନକ ବ୍ୟୁରୋ: କମିଶନରେଟ ପୁଲିସ ହାତରେ ମୋଷ୍ଟ ୱାେଂଟଡ ଲୁଟେରା ପର୍ଶୁରାମ ଗିରି । ଲୁଟ କରିବା ପରେ ବଡ଼ ବଡ ହୋଟେଲରେ ରାତି କାଟୁଥିଲା ଅଭିଯୁକ୍ତ ପର୍ଶୁରାମ । ଝରକା, କବାଟ ଭାଙ୍ଗି ଲୋକଙ୍କ ଘରୁ ଟଙ୍କା, ସୁନା ଲୁଟ କରିବା ପରେ ବାର, ପବରେ ଟଙ୍କା ଉଡାଉଥିଲା । ଲୋକଙ୍କଠୁ ଲୁଟ କରିବା ପରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା ଅଭିଯୁକ୍ତ । ତାଙ୍କ ବିରୋଧରେ ୫୦ରୁ ଅଧିକ ଅପରାଧିକ ମାମଲା ରହିଛି ।

ପର୍ଶୁରାମଙ୍କ ଠାରୁ ପୁଲିସ ୭୦୦ ଗ୍ରାମ ସୁନା, ୭ କିଲୋ ରୂପା ସହ ନଗଦ ୨୧ ଲକ୍ଷ ଟଙ୍କା ଜବତ କରିଛି । ପର୍ଶୁରାମଙ୍କୁ ଜଣେ କୋଟିପତି ଲୁଟେରା କହିଲେ ବି ଭୁଲ ହେବନି । ତାଙ୍କ ବିରୋଧରେ ଭୁବନେଶ୍ୱର ସହୀଦନଗର, ବଡ଼ଗଡ଼, ମଚେଂଶ୍ୱର, ଲିଙ୍ଗରାଜ, ପାହାଳ ଥାନାରେ ୨୧ରୁ ଅଧିକ ମାମଲା ରହିଛି । କୁହାଯାଉଛି ଗତ ୫ ବର୍ଷ ମଧ୍ୟରେ ଏତେ ପରିମାଣର ଚୋରି ସମ୍ପତି ଜବତ କାହାଠୁ ଜବତ ହୋଇନଥିଲା । ଲୁଟେରା ପର୍ଶୁରାମର ଘର ବାଳେଶ୍ୱର ସୋର ଅଞ୍ଚଳର । ଭୁବନେଶ୍ୱରରେ ୫ ଟି ଫ୍ଲାଟ କିଣି ଭଡାରେ ଲଗାଇଛି ଲୁଟେରା । ଏଲଆଇସିରେ ମଧ୍ୟ ଲକ୍ଷାଧିକ ଟଙ୍କା ରଖିଛି ଅଭିଯୁକ୍ତ । ଅଭିଯୁକ୍ତ ପର୍ଶୁରାମକୁ ଧରିବା ପରେ ପୁଲିସ ଆଣି ଲୁଟର ସିନ ରିକ୍ରିଏସନ କରିଛି ପୁଲିସ ।