ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ନିବାସରେ ଗଂଜାମର ମୋଷ୍ଟ ୱାଂଟେଡ୍ ଅପରାଧୀ । ଦଳବଦଳ ବେଳେ ଥାନାରେ ଡଜନେରୁ ଅଧିକ ଅପରାଧିକ ମାମଲା ଥିବା ଜଣେ ଅପରାଧୀ, ନବୀନ ନିବାସ ଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।
କିଛିଦିନ ପୁର୍ବରୁ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ଜିଲ୍ଲାର କିଛି ସିପିଆଇ ନେତା ଓ କର୍ମୀଙ୍କୁ ନେଇ ଆସିଥିଲେ ନବୀନ ନିବାସ । ବାମଦଳରୁ ହାଇଜାକ୍ କରି ସାମିଲ କରିଥିଲେ ବିଜେଡିରେ । ହେଲେ ଏ ପ୍ଲାଟୁନରେ ଥିଲେ ଗଂଜାମର ମୋଷ୍ଟ ୱାଂଟେଡ୍ ଅପରାଧୀ, ଗୁରୁନାଥ ପ୍ରଧାନ । ବିଭିନ୍ନ ଥାନାରେ ଡଜନେରୁ ଅଧିକ ମାମଲା । ଲାଗିଛି ହତ୍ୟର ଉଦ୍ୟମ ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଦଫା । ଏହାସହ ଚୋରୀ, ଡକାୟତି ଓ ରାହାଜାନୀ ଭଳି ମାମଲା ବି ରହିଛି ।
ଯେଉଁଠି ଗୁହାରୀ ପାଇଁ ସାଧାରଣ ଜନତା ଗଲେ ଲକ୍ଷେ ପେଂଚ, ସେଠି କେମିତି ପଶିଲେ ଏହି କୁଖ୍ୟାତ ଅପରାଧୀ । ହୁଏତ ଗୁରୁନାଥଙ୍କୁ ଚିହ୍ନିବା ନବୀନଙ୍କ ପକ୍ଷେ ଅସମ୍ଭବ, ହେଲେ ଦଳବଦଳର ମଙ୍ଗ ଧରିଥିବା ବିଧାୟକ ବି ଚିହ୍ନି ପାରିଲେ ନାହିଁ କେମିତି । ଯେଉଁ ଦଳର ସରକାର ରହିଛି, ଯାହାର ଗୁଇନ୍ଦା ଏତେ ଶକ୍ତ, ଏ କ୍ଷେତ୍ରରେ ଗୁରୁନାଥଙ୍କୁ ଚିହ୍ନିବାରେ ଦଳ ଫେଲ୍ ମାରିଲା କେମିତି ।
ସେପଟେ ବିରୋଧୀ କହିଛି, ପଂଚାୟତ ନିର୍ବାଚନରେ ବାହୁବଳ ବ୍ୟବହାର କରିବାକୁ ଦଳରେ ଗୁଣ୍ଡାଙ୍କୁ ସାମିଲ କରୁଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/vlcsnap-2016-05-12-19h16m13s230.png)