ଆଖୁକିଆରିରୁ ଗିରଫ ହେଲା ଗୋବିନ୍ଦ ସାହୁ । ସାମ୍ନାକୁ ଆସିବ ମମିତା ମେହେର ମୃତ୍ୟୁ ମାମଲାର ସବୁ ସତ ।

423

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି ପୁଲିସ । କଳାହାଣ୍ଡି ଜିଲ୍ଲା ବଙ୍ଗମୁଣ୍ଡା ଥାନା ଅନ୍ତର୍ଗତ ବୁଢିପଦର ଗାଁରୁ ସାନଭଉଣୀ ଘର ଆଖୁକିଆରିରୁ ଗୋବିନ୍ଦଙ୍କୁ ଗିରଫ କରିଛି ପୁଲିସ । ଗତ ୧୭ ତାରିଖରୁ ପୁଲିସ ହେପାଜତରୁ ଖସି ଯାଇଥିଲା ଗୋବିନ୍ଦ । ତାଙ୍କ ଫେରାର ହେବା ପଛରେ ପୁଲିସକୁ ଦାୟୀ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଦୀପକ କୁମାର । ପୁଲିସର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଗୋବିନ୍ଦ ଫେରାର ହୋଇଯାଇଥିଲା । କେଉଁ ପରିସ୍ଥିତିରେ ସେ ଥାନାରୁ ଫେରାର ହୋଇଗଲା, ତାକୁ ନେଇ ଟିଟିଲାଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗୋବିନ୍ଦ ଫେରାର ହେବା ପଛରେ କାହାର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ତଦନ୍ତ ଜାରି ରହିଥିବା ଡିଆଇଜି କହିଛନ୍ତି ।

ଗୋବିନ୍ଦ ସାହୁ । ସେହି ପୁଲିସ ହାତରୁ ଖସିଯାଇଥିବା କିମ୍ବା ଖସାଇଦିଆଯାଇଥିବା ବ୍ୟକ୍ତି ଏବେ ସେହି ପୁଲିସ ପାଇଁ ବନିଯାଇଥିଲା ମୋଷ୍ଟ ୱାଂଟେଡ । ତାକୁ ଧରାଇଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିଲା ।

ଶେଷରେ ଗିରଫ ହେଲେ ଗୋବିନ୍ଦ ସାହୁ । ଏବେ ଖୋଲିବ ପୁରା ଘଟଣାର ସତ । ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଥିବା ଅତି ଭୟଙ୍କର ଅପରାଧର ଏହି ଅଭିଯୁକ୍ତ ଶେଷରେ ଧରାପଡିଛି । ବଲାଙ୍ଗୀର ଏସପି ଏକ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ପୁଲିସ ହେପାଜତରୁ ଫେରାର ହେବା ପରେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବୁଢୀପଦରଗାେଁରେ ଲୁଚିଯାଇଥିଲା ଗୋବିନ୍ଦ । ଏପରିକି ଏହି ଖବର କାହାକୁ ବି ଜଣାପଡିନଥିଲା ।

ଏକ ନାଟକୀୟ ସ୍ଥିତିରେ ୧୭ ତାରିଖ ରାତିରେ ଟିଟିଲାଗଡରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ଗୋବିନ୍ଦ ସାହୁ । ହଠାତ ଲାଇନ ଚାଲିଗଲା ଓ ନାଟକୀୟ ଢଙ୍ଗରେ ଚମ୍ପଟ ମାରିଲେ ଗୋବିନ୍ଦ । ଏହାପରେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳିଗଲା । ଅଭିଯୋଗ ହେଲା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଚାପରେ ପୋଲିସ ଖସାଇଦେଲା ।

ତେବେ ସନ୍ଦେହ କରାଯାଉଛି, ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏବଂ ଏହା ପରେ ତାଙ୍କ ଶରୀରକୁ ସମ୍ପୂର୍ଣ୍ଣ ପୋଡିଦେଇ, ସାତ ଫୁଟ ମାଟିତଳେ ପୋତିଦିଆଯାଇଛି । ଏବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ ହେବା ପରେ ଏସବୁ ଘଟଣାର ସତ ବାହାରିବ ବୋଲି ଆଶା କରାଯାଉଛି ।