T20 World Cup: ୭ ସିଜିନରେ ୬ ଚାମ୍ପିୟନ୍ । ଟି-୨୦ ବିଶ୍ୱକପକୁ ମିଳିବ କି ନୂଆ ବିଜେତା?

308

କନକ ବ୍ୟୁରୋ: ଆରମ୍ଭ ହେଇସାରିଛି କାଉଣ୍ଟଡାଉନ୍ । ବାଜି ସାରିଛି ବିଗୁଲ । ମିଶନ୍ ମେଲବୋର୍ଣ୍ଣ ଲକ୍ଷ୍ୟରେ ଏବେ ସବୁ ଟିମ୍ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କେବଳ ଟି-୨୦ ବିଶ୍ୱକପ୍ ।

ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହା ମୁକାବିଲା । ଯେଉଁଠି ବିଶ୍ୱର ବଡ ବଡ ଟିମ୍ ବିଶ୍ୱକପ୍ ଜିତିବାକୁ କଡା ମୁକାବିଲା କରିବେ । ପଡିଆ ମଝିରେ ଯୁଦ୍ଧ ଲଢିବେ । ତେବେ ବିଶ୍ୱକପ୍ ଇତିହାସକୁ ଯଦି ଓଲଟେଇ ଦେଖାଯାଏ, ତେବେ ୟା ଭିତରେ ମୋଟ ୭ଥର ଟି-୨୦ ବିଶ୍ୱକପ୍ ଖେଳାଯାଇଥିବାବେଳେ, ୬ଟି ଦଳ ଚାମ୍ପିୟନ୍ ହୋଇଛନ୍ତି । ଟିମ୍ ଇଣ୍ଡିଆ ପ୍ରଥମ ସିଜିନରେ ବିଶ୍ୱ ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଥିବାବେଳେ, ୱେଷ୍ଟଇଣ୍ଡିଜ୍ ହେଉଛି ଏକମାତ୍ର ଟିମ, ଯିଏକି ଦୁଇଥର ଟି-୨୦ ବିଶ୍ୱକପ୍ ଜିତିଛି । ୨୦୧୨ ସହିତ ୨୦୧୬ ମସିହାରେ ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱ ଚାମ୍ପିୟନ ହେଇପାରିଛି ।

୨୦୦୭ ମସିହାରେ ଟି-୨୦ ବିଶ୍ୱକପର ପ୍ରଥମ ସିଜିନ ସାଉଥ୍ ଆଫ୍ରିକାରେ ଖେଳାଯାଇଥିଲା । ଏହି ସମୟରେ ଯୁବ ଭାରତୀୟ ଟିମକୁ ଏକ ପ୍ରକାର ଅଣ୍ଡରଡଗ୍ ଟିମ୍ ବୋଲି ଧରି ନିଆଯାଇଥିଲା । ହେଲେ କ୍ୟାପଟେନ୍ କୁଲ୍ ମାହିଙ୍କ କ୍ୟାପଟେନସିରେ ଟିମ୍ ଇଣ୍ଡିଆ ଇତିହାସ ରଚିବା ସହିତ ପ୍ରଥମ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା । ପାକିସ୍ତାନ ହରେଇ ଫାଇନାଲ ମ୍ୟାଚରେ ଦଳ ବିଶ୍ୱ ବିଜୟୀ ହୋଇଥିଲା । ୨୦୦୭ ପରେ ୨୦୦୯ରେ ଟି-୨୦ ୱାଲ୍ଡକପର ସେକେଣ୍ଡ ସିଜିନ୍ ଖେଳାଯାଇଥିଲା । ଏଥର ସାଉଥ୍ ଆଫ୍ରିକା ବଦଳରେ ବିଶ୍ୱକପର ଭେନ୍ୟୁ ଥିଲା ଇଂଲଣ୍ଡ । ଆଉ ଏଥର ବି ଟି-୨୦ ବିଶ୍ୱକପରେ ଏସୀୟ ଦେଶ କମାଲ କରିବା ସହ – ପାକିସ୍ତାନ ଆଉ ଶ୍ରୀଲଙ୍କା ଫାଇନାଲ ଖେଳିଥିଲେ । ଯେଉଁଥିରେ ଶ୍ରୀଲଙ୍କାକୁ ହରେଇ ପାକିସ୍ତାନ ବିଶ୍ୱକପ୍ ଚାମ୍ପିୟନ୍ ହୋଇଥିଲା ।

ସେକେଣ୍ଡ ସିଜିନର ମାତ୍ର ଗୋଟିଏ ବର୍ଷ ପରେ ୨୦୧୦ରେ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିଲା ଟି-୨୦ ବିଶ୍ୱକପର ଥାର୍ଡ ସିଜିନ୍ । ଏଥର କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଟିମ୍ ବିଶ୍ୱକପ୍ ଉଠେଇବା ସହିତ, କ୍ରିକେଟ୍ ଇତିହାସରେ ପ୍ରଥମ କରି ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା । ସେହିପରି ୨୦୧୨ରେ କାରବିଆଇନ୍ ଟିମ୍ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କାକୁ ହରେଇ ପ୍ରଥମ ଥର ପାଇଁ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା । ସେହିବର୍ଷ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା ଫଟାଫଟ୍ କ୍ରିକେଟର ଏହି ମହାସମର ।୨୦୧୪ ମସିହାରେ ବାଂଲାଦେଶ ଆୟୋଜନ କରିଥଲା ବିଶ୍ୱକପ୍ । ଟି-୨୦ ୱାଲ୍ଡକପର ପଂଚମ ସିଜିନରେ ପୁଣି ଏସୀୟ ଦେଶଙ୍କ ଜଲୱା ଦେଖିବାକୁ ମିଳିଥିଲା । ଫାଇନାଲରେ ଶ୍ରୀଲଙ୍କା ଓ ଭାରତ ପରସ୍ପରକୁ ଭେଟିିଥିବାବେଳେ, ଟିମ୍ ଇଣ୍ଡିଆକୁ ହରେଇ ଶ୍ରୀଲଙ୍କା ଚାମ୍ପିୟନ୍ ହେଇଥିଲା । ୨୦୧୪ ପରେ ୨୦୧୬ରେ ଭାରତ ଆୟୋଜନ କରିିଥିଲା ବିଶ୍ୱକପ୍ । ଏଥର ଘରୋଇ ମାଟିରେ କିନ୍ତୁ ଟିମ୍ ଇଣ୍ଡିଆ ୨୦୧୧ ଭଳି କରିସ୍ମା କରିପାରିନଥିଲା । ଇର୍ଡେନ ଗାର୍ଡେନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଶେଷ ଓଭରରେ ହରେଇ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଥର ପାଇଁ ଟ୍ରଫିକୁ ନିଜ ନାଁରେ କରିଥିଲା ।

୨୦୧୬ ପରେ ପ୍ରାୟ ୫ ବର୍ଷ ଧରି ଫଟାଫଟ୍ କ୍ରିକେଟର ଏହି ବିଶ୍ୱକପ୍ ଦେଖିବାକୁ ମିଳିନଥିଲା । ଏହାପରେ ୨୦୨୧ରେ ଟି-୨୦ ୱାଲ୍ଡକପର ସେଭେନ୍ ସିଜିନ୍ ୟୁଏଇରେ ଖେଳାଯାଇଥିଲା । କରୋନା କାଳରେ କଟକଣା ସହିତ ଏହି ଟୁର୍ଣ୍ଣାମେଂଟ ଖେଳାଯାଇଥିଲା । ଯେଉଁଥିରେ ମେନ୍ ଇନ୍ ୟେଲୋ ଅଷ୍ଟ୍ରେଲିଆ ଟିମ୍ ଚାମ୍ପିୟନ୍ ହେବ ସହିତ ନ୍ୟୁଜିଲାଣ୍ଡ ରନର୍ସ ଅପ୍ ହେଇଥିଲା ।

ବିଶ୍ୱକପ୍ ଇତିହାସରେ ଏବେ ସୁଦ୍ଧା ୭ଟି ସିଜିନ୍ ଖେଳାଯାଇଥିବାବେଳେ, ୬ଟି ଦେଶ ଚାମ୍ପିୟନ୍ ହେବାର ଗୌରବ ହାସଲ କରିପାରିଛନ୍ତି । ଭାରତ ସହିତ ପାକିସ୍ତାନ,ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଶ୍ରୀଲଙ୍କା ଆଉ ଅଷ୍ଟ୍ରେଲିଆ ଟିମ୍ ଏହି ବିଶ୍ୱକପକୁ ଆଜି ଭିତରେ ନିଜ ନାଁରେ କରିପାରିଛନ୍ତି । ହେଲେ ଏମିତି ବି ଦେଶ ଅଛନ୍ତି, ଯେଉଁମାନେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିପାରିନାହାଁନ୍ତି । ସାଉଥ୍ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ ଭଳି ଦେଶ ଆଜି ପର୍ଯ୍ୟନ୍ତ ବିଶ୍ୱକପ୍ ଜିତିପାରିନାହାଁନ୍ତି । ତେଣୁ ଏଥର ବିଶ୍ୱକପ୍ ଗୋଟିଏ ନୂଆ ବିଜେତା ଦେଖୁଛି, ନା ଆଉ କେଉଁ ଦଳ ଦ୍ୱିତୀୟ ଥର ବିଶ୍ୱ ଚାମ୍ପିୟନ୍ ହେଉଛି ତାହା ଦେଖିବା ବାକି ରହିଲା ।