ଦୁନିଆର ବିରଳ ଦେଶ । ଯେଉଁଠି ଆଲିସାନ୍ ହୋଟେଲରେ ପରିଣତ ହୋଇଛି ଅଧିକାଂଶ ଜେଲ୍ ।

176

କନକ ବ୍ୟୁରୋ : ଜେଲ୍ । କିଏ କିଏ ଜେଲକୁ ନର୍କ କହିଥାନ୍ତି ତ ଆଉ କିଏ କାଳ କୋଠରୀର ଆଖ୍ୟା ଦେଇଥାନ୍ତି । ଅପରାଧୀଙ୍କୁ ଦଣ୍ଡ ସ୍ୱରୂପ ଜେଲରେ ବନ୍ଦୀ କରି ରଖାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜେଲର ଖବର କହିବୁ, ଯାହା ଏବେ ହୋଟେଲରେ ପରିଣତ ହୋଇସାରିଛି ।

ସାରା ବିଶ୍ୱରେ ଅନେକ ଜେଲ୍ ରହିଛି । ଭାରତ ଏବଂ ଆମେରିକା ସମେତ ଅନ୍ୟ କିଛି ଦେଶର ଜେଲ ଗୁଡିକରେ କ୍ଷମତାଠାରୁ ଅଧିକ କଏଦୀ ମଧ୍ୟ ବନ୍ଦୀ ହୋଇରହିଛନ୍ତି । କିନ୍ତୁ ନେଦରଲାଣ୍ଡ ଏମିତି ଏକ ଦେଶ ବନିବାକୁ ଯାଉଛି, ଯେଉଁଠି ପ୍ରାୟତଃ ସବୁ ଜେଲ୍ ବନ୍ଦ ହେବାକୁ ଯାଉଛି । ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ ।

ନେଦରଲ୍ୟାଣ୍ଡରେ ଜେଲ ବନ୍ଦ ହେବାର କାରଣ ହେଉଛି ଅପରାଧ ହାର କମ୍ । ଏହା ସହ ଯଦି କୌଣସି ଅପରାଧୀ ଜେଲ୍ ଯାଉଛନ୍ତି, ତେବେ ତାଙ୍କୁ ଯଥାଶୀଘ୍ର ଜେଲରୁ ବାହାର କରାଯାଇ ସମାଜର ମୁଖ୍ୟସ୍ରୋତରେ ଯୋଡିବାର ଅଭିଯାନ ଆରମ୍ଭ ହୋଇଯାଏ । ଆଉ ଏହି କାରଣରୁ ନେଦରଲ୍ୟାଣ୍ଡରେ ପାଖାପାଖି ସବୁ ଜେଲ୍ ବନ୍ଦ ହୋଇସାରିଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ପ୍ରତି ୧ ଲକ୍ଷ ଜନବସତିରେ ମାତ୍ର ୬୧ ଜଣ ଲୋକ ହିଁ ଅପରାଧ କରିଥାନ୍ତି । ଆଉ ଏହି ଅପରାଧୀଙ୍କ ଉପରେ କୌଣସି ଗମ୍ଭୀର ଅଭିଯୋଗ ମଧ୍ୟ ନଥାଏ ।

ନେଦରଲ୍ୟାଣ୍ଡର ବର୍ତମାନ ଜନସଂଖ୍ୟା ପାଖାପାଖି ୧.୭୩ କୋଟି । ତେବେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନ୍ୟାୟ ବିଭାଗ ଆକଳନ କରିଛି ଯେ, ୨୦୨୩ ସୁଦ୍ଧା ସମଗ୍ର ଦେଶରେ ପାଖାପାଖି ୯,୮୧୦ଜଣ ଅପରାଧୀ ରହିପାରନ୍ତି । ସବୁଠାରୁ ବଡ କଥା ହେଉଛି, ଅନେକ ଜେଲ୍ ଗୁଡିକ ବନ୍ଦ ହୋଇଯାଇଥିବା ବେଳେ, ଏବେ ଜେଲ୍ ଗୁଡିକୁ ଆଲିସାନ୍ ହୋଟେଲରେ ପରିଣତ କରାଯାଇଛି ।