ଦରମା ଛାଡିବେନି ଏନଡ଼ିଏ ସାଂସଦ । ଏଭଳି ଏକ ଖବର ଏବେ ବିଜେପି ସରକାରକୁ ଅଡ଼ୁଆରେ ପକାଇଛି । ସମସ୍ତ ଏନଡିଏ ସାଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟର ଦରମା ନେବେ ନାହିଁ ବୋଲି ଘୋଷଣା କରି ବିଜେପି ବାହାବା ନେଉଥିବା ବେଳେ ଖୋଦ୍ ଏହାର ମେଣ୍ଟ ଦଳ ବିଜେପିକୁ ଏବେ ଅଡ଼ୁଆରେ ପକାଇଛି। ବିଜେପି ସାଂସଦ ସୁବ୍ରମଣ୍ୟନ୍ ସ୍ୱାମୀ ଆଜି ରାଜ୍ୟସଭାରେ ତାଙ୍କ ଦରମା ଛାଡିପାରିବେ ନାହିଁ ବୋଲି ଖୋଲାଖୋଲି ଭାବେ ଘୋଷଣା କରିବା ପରେ ବିଜେପି ବିରୋଧୀଙ୍କ ଅଗରେ ଲଜ୍ଜିତ ହୋଇଛି।ଏହାଛଡା ସ୍ୱାମୀ କହିଛନ୍ତି ମୁଁ ସବୁବେଳେ ସଂସଦ ଆସୁଛି ତେଣୁ ଦରମା କଣ ପାଇଁ ନେବି ନାହିଁ । ସଂସଦରେ ଯଦି ଅଚଳାବସ୍ଥା ନ ହେବ ତାହା ତାଙ୍କର ଭୁଲ ନୁହେଁ । ଏହାବାଦ ସ୍ୱାମୀ କହିଛନ୍ତି, ସେ ରାଷ୍ଟ୍ରପତିଙ୍କ ପ୍ରତିନିଧି । ତେଣୁ ଯେତେବେଳ ରାଷ୍ଟ୍ରପତି କିଛି କହି ନାହାନ୍ତି ସେତେବେଳ ପର୍ଯ୍ୟନ୍ତ ସେ କିପରି ସ୍ଥିର କରିବେ କି ଦରମା ନେବେ କି ନାହିଁ । କେବଳ , ସାଂସଦ ସ୍ୱାମୀ ନୁହଁନ୍ତି ବରଂ ଏନଡିଏ ମେଣ୍ଟର ଅନ୍ୟ ଦଳ ବିଜେପିର ଏହି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏନଡିଏ ମେଣ୍ଟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦଳ ଶିବସେନା ଦରମା ଛାଡ଼ିବାକୁ ପ୍ରସ୍ତୁତ ନଥିବା ଆଜି ଘୋଷଣା କରିଛି।
ଗୋଟିଏ ପଟେ ବିଜେପି ସଂସଦର ଏହି ଅଚଳାବସ୍ଥା ପାଇଁ ବିରୋଧୀ କଂଗ୍ରେସକୁ ଦାୟୀ କରିଥିବା ବେଳେ ଶିବସେନା ଏଥିପାଇଁ ବିଜେପିକୁ ଦାୟୀ କରିଛି। ଶିବସେନା କହିଛି ଯେ, ଆସନ୍ତା ମାସରେ କର୍ଣ୍ଣାଟକ ନିର୍ବାଚନ ଥିବାରୁ ବିଜେପି ଜାଣିଶୁଣି ଗୃହରେ ଅଚଳାବସ୍ଥା ଜାରି ରଖିଛି। ଶିବସେନା ସାଂସଦ ଅରବିନ୍ଦ ସାଓ୍ଵନ୍ତ କହିଛନ୍ତି ଯେ, ବିଜେପି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମେଣ୍ଟଦଳଙ୍କ ସହ ଆଲୋଚନା କରୁନାହିଁ। କେବଳ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେପିର ମେଣ୍ଟଦଳଙ୍କ କଥା ମନେପଡେ ବୋଲି ସାଂସଦ ସାଓ୍ଵନ୍ତ କହିଛନ୍ତି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର ଖୁସଓ୍ଵା କହିଛନ୍ତି ଯେ, ଏନଡିଏର ଏଭଳି ନିଷ୍ପତ୍ତି ସମ୍ପର୍କରେ ସେ ଅବଗତ ନାହାନ୍ତି।
ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟରେ ଗୃହକାର୍ୟ୍ୟ ଚାଲିପାରି ନଥିବାରୁ ଏନଡିଏର ମୋଟ ୪ଶହ ଜଣ ସାଂସଦ ସେମାନଙ୍କର ୩ କୋଟି ୪୬ ଲକ୍ଷର ଦରମା ଓ ଭତ୍ତା ନେବେ ନାହିଁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ଅନନ୍ତ କୁମାର ଘୋଷଣା କରିବା ପରେ ଏହାକୁ ନେଇ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ସଂସଦର ଅଚଳାବସ୍ଥା ପାଇଁ କଂଗ୍ରେସକୁ ସିଧାସଳଖ ଦାୟୀ କରି ଟିକସଦାତାଙ୍କ ଅର୍ଥ ବରବାଦ କରୁଥିବା ନେଇ ଅଭିଯୋଗ ଆଣିବା ସହ ଏନ୍ଡିଏ ସାଂସଦ ଦରମା ଓ ଭତ୍ତା ନନେଇ ବିରୋଧୀଙ୍କ ପାଇଁ ଏକ ଆଦର୍ଶ ପାଲଟିବେ ବୋଲି ଗତକାଲି କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର କହିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/parliament-of-india-1.jpg)