ଏ ହେଉଛି ଦୁନିଆର ସବୁଠାରୁ ଭୟଙ୍କର ସିରିଏଲ କିଲରର କାହାଣୀ

441

କନକ ବ୍ୟୁରୋ : ଆପଣମାନେ ଦୁନିଆର କେତେ କେତେ ଭୟଙ୍କର ଅପରାଧୀଙ୍କ କାହାଣୀ ଶୁଣିଥିବେ । ହେଲେ ଆଜି ଆମେ ଜଣେ କୁଖ୍ୟାତ ସିରିଏଲ କିଲରର କାହାଣୀ କହିବାକୁ ଯାଉଛୁ । ଯାହାକୁ ପଢିଲେ ଆପଣ ବି ତାଜୁବ ହୋଇଯିବେ । ଏହି ସିରିଏଲ କିଲର ଜଣଙ୍କ ତାଙ୍କ ଅପରାଧିକ ଜୀବନ କାଳରେ ୧୦୦ ରୁ ଅଧିକ ଶିଶୁଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲା । ଏହାସହ ହତ୍ୟାପରେ ପ୍ରମାଣ ନଷ୍ଟ କରିବାକୁ ଶିଶୁମାନଙ୍କ ଶବକୁ ଏସିଡ କଣ୍ଟେନରରେ ପକାଇ ଦେଉଥିଲା । ହେଲେ ସେ ତା’ର ଯୋଜନାରେ ବେଶିଦିନ ତିଷ୍ଟିପାରି ନଥିଲା ।

ପାକିସ୍ତାନରେ ରହୁଥିବା ଏହି କୁଖ୍ୟାତ ସିରିଏଲ କିଲର ନାମ ଜାବେଦ ଇକବାଲ । ତାଙ୍କର ଅପରାଧ ପାଇଁ ତାକୁ ପାକିସ୍ତାନ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ‘ଡେଲି ଷ୍ଟାର’ ର ଖବର ମୁତାବକ ଏଭଳି ଜଘନ୍ୟ ଅପରାଧ ପାଇଁ କୋର୍ଟ ପୀଡିତ ପିଲାଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଇକବାଲକୁ ୧୦୦ ଖଣ୍ଡ କରି କାଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଇକବାଲର ଶବକୁ ଖଣ୍ଡ ଖଣ୍ଡ କରି ଏସିଡ ଟାଙ୍କିରେ ପକାଇଦେବାକୁ ଜଷ୍ଟିସ କହିଥିଲେ । କୋର୍ଟଙ୍କର ଏଭଳି ନିଷ୍ପତ୍ତି ଉପରେ ପାକିସ୍ତାନ ସରକାର ମାନବାଧିକାର ଦ୍ୱାହିଦେଇ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ୯୦ ଦଶକରେ ଜେଲରେ ବନ୍ଦ ଥିବା ଇକବାଲ ଆତ୍ମହତ୍ୟା କରିଥିଲେ ।

ଜାବେଦ ଇକବାଲର ଜନ୍ମ ୧୯୫୬ ମସିହାରେ ଲାହୋରେ ହୋଇଥିଲା । ଯୁବ ବୟସରେ ତା ମୁଣ୍ଡରେ ସଇତାନ ସବାର ହେବା ଭଳି ସେ ଗରିବ ପିଲାମାନଙ୍କୁ ନିଜର ଶିକାର ବନାଇଥିଲା । ଇକବାଲ ବେସାହାରା ଓ ଗରିବ ପିଲାମାନଙ୍କୁ କିଛି ନା କିଛି ଲୋଭ ଦେଖାଇ ନିଜ ଘରକୁ ଡାକି ନେଉଥିଲା । ସେଠାରେ ସେ ସେମାନଙ୍କ ସହ ପ୍ରଥମ ଦୁଷ୍କର୍ମ କରୁଥିଲା । ଏହାପରେ ପ୍ରମାଣ ନଷ୍ଟ କରିବାକୁ ସେମାନଙ୍କୁ ହତ୍ୟା କରି ଏକ ଏସିଡ ଭରା ଟାଙ୍କିରେ ସେମାନଙ୍କ ଶବକୁ ପକାଇ ଦେଉଥିଲା । ୧୯୯୯ ମସିହାରେ କୌଣସି ଏକ କାରଣରୁ ତା ମୁଣ୍ଡରେ ସଦବୁଦ୍ଧି ଉଦୟ ହୋଇଥିଲା । ସେ ନିଜର ପାପକୁ ନିଜେ ମାନିଥିଲା । ଇକବାଲ ନିଜ ତରଫରୁ କହିଥିଲା କି ସେ ୧୦୦ ଜଣ ଶିଶୁଙ୍କୁ ଦୁଷ୍କର୍ମ କରି ହତ୍ୟା କରିଛି ।

ଏନେଇ ପୋଲିସ ଯାଂଚ କରିବା ପରେ ଜାଣିବାକୁ ପାଇଥିଲା ଯେ, ଇକବାଲ ଯେଉଁ ପିଲାମାନଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲା ସେମାନଙ୍କର ଫଟୋ, ନାମ ଓ କପଡାକୁ ନିଜ ଘରେ ରଖିଥିଲା । ଲାହୋରର ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଇକବାଲ କହିଥିଲା କି ସେ କରିଥିବା ଅପକର୍ମକୁ ନେଇ ତା ମନ ଭିତରେ କିଛି ବି ଅନୁତାପ ନାହିଁ । ଏହାସହ ସେ ପ୍ରତିଶୋଧ ନେବା ଉର୍ଦ୍ଦେଶ୍ୟରେ ଏସବୁ କରିଥିବା କଥା କହିବା ସହ ପିଲାଦିନେ ତା ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ତାକୁ ନ୍ୟାୟ ନମିଳିବାରୁ ସେ ଏଭଳି କରିଥିବା କଥା କହିଥିଲା ।

ଇକବାଲ ନିଜର ଅପରାଧ ସ୍ୱିକାର କରିବା ପରେ ୨୦୦୦ ମସିହା ମାର୍ଚ୍ଚ ମାସରେ ତାକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଦଣ୍ଡିତ କରି ଜେଲକୁ ପଠାଇ ଦେଇଥିଲେ । ୨୦୨୧ ମସିହା ଅକ୍ଟୋବର ମାସରେ ଇକବାଲ ଜେଲରେ ଲାଗିଥିବା ଏକ କାଠରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା । ହେଲେ କିଛି ଲୋକ କହିଛନ୍ତି କି ଜେଲରେ ଇକବାଲକୁ ହତ୍ୟା କରାଯାଇଥିଲା । କାରଣ ତାଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ବେଳେ ଇକବାଲର ହାତ ଓ ଗୋଡ ନୀଳ ପଡିଯାଇଥିଲା ।