ଭାରତୀୟ ତଦନ୍ତକାରୀ ସଂସ୍ଥା ସହ ମିଳିତ ଭାବେ ତଦନ୍ତ କରିବ ଇସ୍ରାଏଲ । ନୂଆଦିଲ୍ଲୀ ଆସୁଛନ୍ତି ଫୋନ ବମ ଓ ବିଷ ଛୁଞ୍ଚିକୁ ହତିଆର କରୁଥିବା ଗୁଇନ୍ଦା ସଂସ୍ଥା ‘ମୋସାଦ’ ।

103

କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ଗୁରୁତର ସହ ନେଇଛି ଇସ୍ରାଏଲ । ଏନଆଇଏ, ଏନଏସଜି ଓ ସ୍ପେଶାଲ ସେଲ୍ ଘଟଣାର ଯାଞ୍ଚ କରୁଥିବା ବେଳେ ଇସ୍ରାଏଲ ତଦନ୍ତକାରୀ ସଂସ୍ଥା ‘ମୋସାଦ’ ମଧ୍ୟ ଏହି ଯାଞ୍ଚରେ ସାମିଲ ହେବ । କୁହାଯାଏ ମୋସାଦ ବିଶ୍ୱର ସବୁଠୁ ଦୁର୍ଦ୍ଦଶ ଗୁଇନ୍ଦା ସଂସ୍ଥା । ଯେଉଁ ଦେଶରେ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ହୁଏ ଏହି ଏଜେନ୍ସି ସେଠାରେ ଗୁପ୍ତ ଭାବରେ ପହଞ୍ଚି ଯାଞ୍ଚ କରିଥାଏ । ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଏହି ଏଜେନ୍ସିର ଚର୍ଚ୍ଚିତ ଇତିହାସ ଓ କାରନାମା ଉପରେ ସମସ୍ତଙ୍କ ନଜର ରହିଥାଏ ।

ମୋସାଦ ବିଶ୍ୱର ସବୁଠାରୁ ଦୁର୍ଦ୍ଦଶ ତଦନ୍ତାକାରୀ ସଂସ୍ଥା ଭାବେ ପରିଚିତ । ୧୯୭୨ରେ ମ୍ୟୁନିକ ଅଲିମ୍ପିକରେ ଯେତେବେଳେ ଇସ୍ରାଏଲର ୧୧ଜଣ ଖେଳାଳିଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ ସେତେବେଳେ ମୋସାଦ ଦୀର୍ଘ ୨୦ବର୍ଷ ଧରି ଗୁପ୍ତ ଅପରେସନ କରି ହତ୍ୟାକାରୀ ମାନଙ୍କୁ ଖୋଜି ଖୋଜି ମାରିଥିଲା । ଏହି ଅପରେସନର ନାମ ‘ରେଥ ଅଫ ଗଡ’ ରଖାଯାଇଥିଲା । ଏହି ଅପରେସନରେ ମୋସାଦର ସଦସ୍ୟ ମାନେ ସାରା ବିଶ୍ୱ ବୁଲି ହତ୍ୟାକାରୀଙ୍କୁ ଖୋଜି ନିପାତ କରିଥିଲେ । ମୋସାଦର ପ୍ରକୃତ ନାମ ହେଉଛି ଇନଷ୍ଟିଚ୍ୟୁଟ ଫର ଇଂଟେଲିଜେନ୍ସ ଆଣ୍ଡ ସ୍ପେଶାଲ ଅପରେସନ । ଏହା ଇସ୍ରାଏଲର ରାଷ୍ଟ୍ରୀୟ ଗୁଇନ୍ଦା ସଂସ୍ଥା । ମୋସାଦ ୧୯୪୯ରେ ପ୍ରତିଷ୍ଠା କରାଯାଇଥିଲା ।

ଶତ୍ରୁ ଠାରୁ ପ୍ରତିଶୋଧ ନେବା ପାଇଁ ଯେକୌଣସି ସ୍ତର ପର୍ଯ୍ୟନ୍ତ ଯାଇପାରେ ମୋସାଦ । ଏପରିକି ‘ରେଥ ଅଫ ଗଡ’ ଅପରେସନ ବେଳେ ଫୋନ ବମ, ବିଷ ଛୁଞ୍ଚି ଓ କାର୍ ବୋମା ବ୍ୟବହାର କରି ଆତଙ୍କବାଦୀଙ୍କୁ ନିପାତ କରିଥିଲା । ୨୦ବର୍ଷ ଧରି ଚାଲିଥିବା ଏହି ଅପରେସନରେ ୯ଜଣ ଫିଲିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ।

୨୦୧୨ରେ ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ବାହାରେ ଯେତେବେଳେ କାର ଯୋଗେ ଆକ୍ରମଣ କରାଯାଇଥିଲା, ସେତେବେଳେ ମୋସାଦ ନିଜର ଯାଞ୍ଚ କରିଥିଲା । ଏବଂ ଏହି ଆକ୍ରମଣ ପଛରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ ଏହି ଘଟଣା ପଛରେ ଥିବା ଜାଣିବାକୁ ପାଇଥିଲା । ଏବେ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଥିବା ବେଳେ ମୋସାଦ ମଧ୍ୟ ଘଟଣାର ତଦନ୍ତ କରିବ ।