ରାଜଧାନୀରେ ମଶାଙ୍କ ଉତ୍ପାତ, ବିଏମସି ସାଜିଛି ନିଦାବିଷ୍ଣୁ ।

ରାଜଧାନୀରେ ମଶାଙ୍କ ଉତ୍ପାତ, ବିଏମସି ସାଜିଛି ନିଦାବିଷ୍ଣୁ ।

କନକ ବ୍ୟୁରୋ :  କିଛି ଦିନ ହେଲା ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ଅଞ୍ଚଳରେ ମଶାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳର ଅବସ୍ଥା ବି ଅସମ୍ଭାଳ। କି ସଂଜ, କି ରାତି; ଦିନ ବେଳା ବି ମଶା‌ଙ୍କ ଦା‌ଉରେ ରହି ହେଉନାହିଁ। ଘରେ, ବାହାରେ ସବୁଆଡ଼େ ମଶା‌ ଭଣଭଣ ହେଉଛନ୍ତି ଓ କାମୁଡ଼ି କାମୁଡ଼ି ଅସ୍ତବ୍ୟସ୍ତ କରି ପକାଉଛନ୍ତି। ଦିନ ବେଳା ବି ଘରେ ସ୍ୱାଭାବିକ ଭାବେ ଚଳପ୍ରଚଳ ହେବା ପାଇଁ ମଶା ଧୂପକାଠି ଲଗାଇବାକୁ ପଡ଼ୁଛି। ଏମିତିକି ପିଲାମାନେ ଘରେ ବସି ପଢ଼ିବା ‌ବେଳେ ମଶାରି ଟାଣିବାକୁ ପଡ଼ୁଛି ବୋଲି ଲୋକେ କହୁଛନ୍ତି। କିଛି ବର୍ଷ ହେଲା ଏହି ଅଞ୍ଚଳ ରାଜଧାନୀର ଡେଙ୍ଗୁପ୍ରବଣ ସ୍ଥାନ ଭାବେ ଜଣାଶୁଣା ହୋଇଥିଲେ ବି ମଶା ମାରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ କିଛି କରୁନଥିବା ଅଭିଯୋଗ ହେଉଛି।

ଚନ୍ଦ୍ର‌ଶେଖରପୁର ଓ ମଞ୍ଚେଶ୍ୱର ଅଞ୍ଚଳର ଲୋକଙ୍କ ଅଭିଯୋଗ, ସମସ୍ୟା ବଢ଼ିଗଲେ ବିଏମସିର ନିଦ ଭାଙ୍ଗୁଛି। ଅଥଚ ଆରମ୍ଭରୁ ସମାଧାନର ବାଟ ବାହାର କରିବା ପାଇଁ ବିଏମସି ଉଦ୍ୟମ କରୁନାହିଁ। ଚଳିତ ବର୍ଷ ଉଭୟ ଅଞ୍ଚଳରୁ ଶତାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଡେଙ୍ଗୁ ବ୍ୟାପିବା ପରେ ବିଏମସିର ଚେତା ପଶିଥିଲା। କଲୋନି ଓ ବସ୍ତି ଅଞ୍ଚଳର ନାଳ ନର୍ଦ୍ଦମାଗୁଡ଼ିକୁ ସଫା କରାଗଲା ଓ ମଶା ଓୗଷଧ ସିଞ୍ଚନ କରାଗଲା। ସେହିଭଳି ଟିଫା ମେସିନ୍ ଦ୍ବାରା ଧୂଆଁ ବୁଲାଇବା ଆରମ୍ଭ ହୋଇଥିଲା। ମାତ୍ର ଏବେ ସବୁ ଠପ୍‌ ହୋଇଯାଇଛି।

କିଛି ଦିନ ପୂର୍ବେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେଣୁ ରାସ୍ତାଘାଟରେ ଆବର୍ଜନା ଗଦା ହୋଇ ରହିଲା। ଦିନ ଦିନ ଧରି ଅଳିଆ ଗଦା‌ ହୋଇ ରହିବାରୁ ତାହା ପଚିସଢ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କଲା। ଫଳରେ ଚାରିଆଡ଼େ ମଶା ବଂଶ ବୃଦ୍ଧି ପାଇଲା। ସେହିଭଳି ନିକଟରେ ଲଘୁଚାପ ବର୍ଷା କାରଣରୁ ବିଭିନ୍ନ ଖାଲଖମାରେ ପାଣି ଭର୍ତ୍ତି ହୋଇଯାଇଛି ଓ ସେଗୁଡ଼ିକ ମଶାବଂଶ ବଢ଼ାଇବାରେ ସହାୟକ ହୋଇଛି। ଏବେ ଡ଼େଙ୍ଗୁ କିଛି ମାତ୍ରା ଥମିଥିଲେ ହେଁ ମଶା କାମୁଡ଼ାରେ ଲୋକେ ମ୍ୟାଲେରିଆ, ଫାଇଲେରିଆ ଓ ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଭଳି ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ବଢ଼ିଛି ବୋଲି ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ହସ୍ପିଟାଲର ଡାକ୍ତର ପ୍ରଶାନ୍ତ ପାତ୍ର କହିଛନ୍ତି। ତେଣୁ ତୁରନ୍ତ ମଶା ମାରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ତତ୍ପରତା ପ୍ରଦର୍ଶନ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶିଖରଚଣ୍ଡୀ, ଚୁନକୋଳି, ଜଳିମୁଣ୍ଡା ବସ୍ତି, ଚିରଗାଲଟୋଲା, ଶିଶୁବିହାର, ପଟିଆଖଣି, ମଙ୍ଗଳା ସାହି, ତାରିଣୀସାହି, ଶୈଳଶ୍ରୀବିହାର, ଡମଣା, ଗାଡ଼କଣ, ରଙ୍ଗମାଟିଆ, ଲାଇନ୍‌ସାହି, ପାତ୍ରସାହି, ‌ଧରିକୁଟି ବସ୍ତି, ବିଡିଏ କଲୋନି ଓ ଭିଏସଏସନଗର ଅଞ୍ଚଳରେ ମଶାଙ୍କ ଉତ୍ପାତ ଅସହ୍ୟ ହୋଇପଡ଼ିଲାଣି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe