କନକ ବ୍ୟୁରୋ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱର୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଆଜି ଜଣାପଡ଼ିଛି। ତାଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ରେ ଉପରୋକ୍ତ ଖବର ସେୟାର୍ କରି ହିନ୍ଦୀ ଭାଷାରେ ଡାକ୍ତର ପାୱାର୍ ଲେଖିଛନ୍ତି, ଆଜି ମୋ କୋଭିଡ୍-୧୯ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବାରୁ ନିଜ ବାସଭବନରେ ‘କ୍ବାରେଣ୍ଟିନ୍’ରେ ରହିଛି। ଗତ ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ କିଛି ଦିନ ସଙ୍ଗରୋଧରେ ରହି ନିଜ ସହ ଅନ୍ୟମାନଙ୍କୁ ସୁରକ୍ଷିତ କରିବାକୁ ଟ୍ୱିଟ କରି ଅନୁରୋଧ କରିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରକର୍ଡ ସଂଖ୍ୟକ ୯୦,୯୨୮ ନୂଆ କୋଭିଡ୍-୧୯ ସଂକ୍ରମଣ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୫୬.୫% ଅଧିକ। ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩,୫୧,୦୯,୨୮୬ରେ ପହଞ୍ଚିଛି। ସେହିପରି, ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୩୨୫ଜଣ ଆକ୍ରାନ୍ତଙ୍କ ସମେତ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୨,୮୬୭ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୦୧ ଥିବାବେଳେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୩,୪୧,୦୦୯।