ସଂସଦରେ ଆଗତ ହେବ ସାଧାରଣ ବଜେଟ୍: ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ପୂଜାର୍ଚ୍ଚନା;ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜା କଲେ ଅନୁରାଗ ଠାକୁର

55

କନକ ବ୍ୟୁରୋ : ଆଉ କେଇ ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ଅର୍ଥମନ୍ତ୍ରୀ ଓ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରାଳୟରେ ପହଂଚି ସାରିଛନ୍ତି । ଅନୁରାଗ ଠାକୁର ଘରୁ ବାହାରି ପୂଜାର୍ଚ୍ଚନା କରିଛନ୍ତି । ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ତ୍ରାଳୟକୁ ବାହାରିଥିଲେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।

ସେପଟେ, ଅର୍ଥ ମନ୍ତ୍ରାଳୟରୁ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଲେ ଅର୍ଥମନ୍ତ୍ରୀ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦିନ ୧୧ଟାରେ ଉପସ୍ଥାପିତ ହେବାକୁ ଥିବା ବଜେଟରୁ ଆଶା କରାଯାଉଛି, ମହାମାରୀ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ଏଥିସହ ସ୍ୱାସ୍ଥ୍ୟ ଭିତିଭୂମି ଓ ପ୍ରତିରକ୍ଷା ବାବଦରେ ଅଧିକ ବ୍ୟୟ ବରାଦ ସହ ଆର୍ଥିକ ସୁଧାରକୁ ଆଗକୁ ବଢେଇନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି । ଏହାଛଡା ଚାଷୀଙ୍କୁ ମଧ୍ୟ ବଜେଟରେ ବଡ ଉପହାର ମିଳିପାରେ ।

ଗୋଟିଏ ଅନ୍ତରୀଣ ବଜେଟକୁ ମିଶାଇ ଏହା ମୋଦି ସରକାରଙ୍କ ନବମ ବଜେଟ । ଏଥର ବଜେଟରେ ବ୍ୟାପକ ରୋଜଗାର ସୃଷ୍ଟି, ଗ୍ରାମୀଣ ବିକାଶ ପାଇଁ ଅଧିକ ଖର୍ଚ୍ଚ, ବିକାଶ ପାଇଁ ଉଦାର ଆବଂଟନ, କରଦାତାଙ୍କ ହାତରେ ଅଧିକ ପଇସା ଦେବାକୁ ପଦକ୍ଷେପ ନେଇପାରନ୍ତି ମୋଦି ସରକାର । ଏହାଛଡା ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ନିୟମକୁ ମଧ୍ୟ ସରଳ କରାଯିବ ବୋଲି ଆଶା କରାଯାଉଛି ।