କନକ ବ୍ୟୁରୋ : ଜନ୍ମମାଟିରେ ସହିଦ ଓଡିଆ ଯବାନଙ୍କ ପାର୍ଥିବ ଶରୀର । ଗଲୱାନ ଘାଟିରେ ପ୍ରାଣ ବଳି ଦେଇଥିବା ମୟୂରଭଞ୍ଜର ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନନ୍ଦୁରାମ ସୋରେନଙ୍କ ମରଶରୀର ଗାଁରେ ପହଁଚିବା ପରେ ସେଠାରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । ବୀର ସହିଦଙ୍କ ଶେଷ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି ଲୋକେ । ବୁକୁ ଫଟାଇ କାନ୍ଦୁଛନ୍ତି ସମ୍ପର୍କୀୟ ଓ ପରିଜନ । ସମ୍ପୂର୍ଣ୍ଣ ଅଂଚଳରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।
ଭାରତ-ଚୀନ୍ ସୀମାନ୍ତ ଗଲୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡିଆ ବୀର ଯବାନଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ । ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ଓ ତୋପ ସଲାମୀ ସହ ବୀରଙ୍କୁ ଅନ୍ତିମ ବିଦାୟ ଦିଆଯିବ ।
ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହିଦ ଯବାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଦେଇଥିଲେ । ଏହାପରେ ସ୍ୱତନ୍ତ୍ର ଗାଡିରେ ଉଭୟ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ନିଜ ନିଜ ଜନ୍ମମାଟିକୁ ନିଆଯାଇଛି । ଦେଶପାଇଁ ବଳିଦାନ ଦେଇ ରାଜ୍ୟର ଗର୍ବ ଓ ଗୌରବ ପାଲଟିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ମୟୂରଭଂଜ ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନନ୍ଦୁରାମ ସୋରେନ ।