ଅଶ୍ରୁଳ ଆଖିରେ ମିହିର ଦାସଙ୍କୁ ଅନ୍ତିମ ବିଦାୟ ଦେଲା ସାରା ଓଡ଼ିଶା । ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷକୃତ୍ୟ ସମ୍ପନ୍ନ ।

72

କନକ ବ୍ୟୁରୋ : ଓଲିଉଡର ସୁପରଷ୍ଟାର ମିହିର ଦାସଙ୍କୁ ଆଜି ସାରା ଓଡିଶା ବିଦାୟ ଦେଇଛି । ସତୀଚଉରା ଶ୍ମଶାନରେ ପଞ୍ଚଭୂତରେ ବିଲିନ ହୋଇଯାଇଛନ୍ତି ମିହିର । ରାଷ୍ଟ୍ରୀୟ ସମ୍ମାନର ସହ ହିନ୍ଦୁ ରୀତିନୀତି ଅନୁସାରେ କାକାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପୁଅ ଅମ୍ଳାନ ମୁଖାଗ୍ନୀ ଦେବା ପରେ ଅନ୍ତିମ ବିଦାୟ ନେଇଛନ୍ତି ମିହିର ।

ଅଶ୍ରୁଳ ଆଖିରେ ମିହିର ଦାସଙ୍କୁ ଅନ୍ତିମ ବିଦାୟ । ପଞ୍ଚଭୂତରେ ଲୀନ ହେଲା ପାର୍ଥିବ ଶରୀର । କଟକର ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନର ସହ ହିନ୍ଦୁ ରୀତିନୀତି ଅନୁସାରେ ମିହିର ଦାସଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ପରିବାର ଲୋକ, ଆତ୍ମୀୟ ସ୍ୱଜନ, ଶହ ଶହ ପ୍ରଶଂସକ ଅଶ୍ରୁଳ ଆଖିରେ ତାଙ୍କୁ ବିଦାୟ ଦେଇଛନ୍ତି । ପୁଅ ଅମ୍ଲାନ ମୁଖାଗ୍ନୀ ଦେବା ପରେ ପଞ୍ଚଭୂତରେ ଲୀନ ହୋଇଛି ମିହିର ଦାସଙ୍କ ପାର୍ଥିବ ଶରୀର । ମିହିର ଦାସଙ୍କ ପାର୍ଥିବ ଶରୀର ଆଜି ନାହିଁ ସତ, ହେଲେ ଓଡିଆ ଚଳଚିତ୍ରରେ ସେ ଛାଡିଯାଇଥିବା ଛାପ ଚିରଦିନ ତାଙ୍କୁ ଅମର କରି ରଖିବ ।

ମଙ୍ଗଳବାର କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିଲା । ସକାଳେ ବାସଭବନରୁ ସତୀଚଉରାକୁ ବାହାରିଥିଲା ମିହିର ଦାସଙ୍କ ଶେଷ ଯାତ୍ରା । ଆଉ ମିହିର ଦାସଙ୍କ ଶେଷ ଦର୍ଶନ କରିବା ପାଇଁ ରାସ୍ତାର ଦୁଇ ପଟେ ଛିଡା ହୋଇ ଚାହିଁରହିଥିଲେ ଶହ ଶହ ଲୋକ ।

ଓଲିଉଡ ଜଗତ ଏକ ଭର୍ସାଟାଇଲ ଆକ୍ଟରଙ୍କୁ ହରାଇଛି । ଦେଢଶହରୁ ଅଧିକ ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ କନ୍ଦାଇଥିବା, ହସାଇଥିବା, ରୋମାଞ୍ଚିତ କରିଥିବା ମିହିର ଆଉ ନାହାନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ହୋଇ ରହିବ ।