କନକ ବ୍ୟୁରୋ: ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ କାର୍ଯ୍ୟରତ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ ହୋଇଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ ସହିଦ ହୋଇଛନ୍ତି । ସେ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍ରେ କାମ କରୁଥିଲେ । ସାଥୀ ଯବାନଙ୍କ ସହ ସୁକ୍ମା ଜିଲ୍ଲା ମିନାପା ଅଂଚଳର ଏକ ଭୋଟ୍ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ । ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରକାଶଙ୍କ ଦୁଇ ଗୋଡରେ ଅସ୍ତ୍ରୋପଚାର କରାଯାଉଥିବା ବେଳେ ତାଙ୍କ ଜୀବନ ଚାଲିଯାଇଥିଲା ।

Advertisment

ଏହି ଖବର ଜଣାପଡ଼ିବା ପରେ ଜନ୍ମମାଟି ଗୋପାଳପୁର ସହ ବାଲେଶ୍ୱର ତଥା ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି । କାନ୍ଦବୋବାଳିରେ ଫାଟି ପଡ଼ୁଛି ସହିଦ ଯବାନଙ୍କ ଘର । ତେବେ ଭୁବନେଶ୍ୱରରେ ତାଙ୍କର ପାର୍ଥିବ ଶରୀର ପହଂଚିଛି । ଏହା ପରେ ନିଜ ଜନ୍ମମାଟି ଅଭିମୁଖେ ତାଙ୍କ ମରଶରୀର ନିଆଯିବ । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର ।