କନକ ବ୍ୟୁରୋ : ଖବରଦାତାରୁ ଖବର ବନିଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାଁ ମାଟିରେ ଶୋକାକୂଳ ପରିବେଶରେ ବୈତରଣୀ କୂଳରେ ଜଳିଛି ଜୁଇ । ଯେଉଁ ଜୀବିକା ତାଙ୍କୁ ପରିଚୟ ଦେଇଥିଲା, ସେହି ଜୀବିକା ହିଁ ତାଙ୍କ ଜୀବନ ନେବ, କେହି କେବେ ଭାବିନଥିଲେ । ଗାଁର ସାହସୀ ପୁଅ ସବୁ ଦିନ ପାଇଁ ଶୋଇଯିବା ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।

Advertisment

ଶୁକ୍ରବାର ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଥିବା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ତାଙ୍କ ଗାଁ ମାଟିରେ ଦିଆଯାଇଛି ଶେଷ ବିଦାୟ । ବୈତରଣୀ କୁଳରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଅରିନ୍ଦମ । କେନ୍ଦୁଝର ରାଜନଗର ପଞ୍ଚାୟତରେ ଥିବା ରାଇକଳା ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

publive-imageଭୋର ସମୟରେ ଅରିନ୍ଦମଙ୍କ ମରଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିଥିଲା । ଯେଉଁ ଅଗଣାରେ ସେ ବଢିଥିଲେ, ସେଇ ଅଗଣାରେ ଥିଲା ତାଙ୍କ ପାର୍ଥିବ ଶରୀର । ସମସ୍ତଙ୍କ ଆଖିରୁ ଝରୁଥିଲା ଅଶ୍ରୁ । କେହି କେବେ କଳ୍ପନା ମଧ୍ୟ କରିନଥିବେ, ଯେଉଁ କାର୍ଯ୍ୟ ଜରିଆରେ ସେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ, ସେହି କାର୍ଯ୍ୟ ହିଁ ତାଙ୍କ ପାଇଁ ଘାତକ ସାଜିବ ।

ଅରିନ୍ଦମ ପରିବାରର ଏକମାତ୍ର ପୁଅ ଥିଲେ । ଏବେ ଅରିନ୍ଦମଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ ଭାଙ୍ଗିପଡିଛନ୍ତି । ଅରିନ୍ଦମଙ୍କ ଶେଷ ଦର୍ଶନ କରିବା ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ସୁଅ ଛୁଟିଥିଲା । ଅରିନ୍ଦମଙ୍କ ଅକାଳ ବିୟୋଗ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଅରିନ୍ଦମଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି ।

ମହାନଦୀରେ ହାତୀ ଫଶିଯିବା ଘଟଣାର ଖବର ସଂଗ୍ରହ କରିବାକୁ ଓଡ୍ରାଫ ବୋଟରେ ଯାଇଥିବା ବେଳେ ବୋଟ୍ ବୁଡି ଯାଇଥିଲା । ଏଥିରୁ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଛି । ସେହିଭଳି ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।