ଏକାଠି ଜଳିଲା ଜୁଇ । ଗାଁ ମଶାଣିରେ ଏକା ସାଙ୍ଗରେ ଜଳିଲା ୮ ଜଣଙ୍କ ଚିତା । ଅନ୍ତିମ ସଂସ୍କାର ବେଳେ ଲୁହରେ ଭିଜିଲା, କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ…

1,487

କନକ ବ୍ୟୁରୋ: ଏକାଠି ଜଳିଲା ଆଠ ଜୁଇ । ଗାଁ ମଶାଣିରେ ଏକା ସାଙ୍ଗରେ ଜଳିଲା ୮ ଜଣଙ୍କ ଚିତା । ବ୍ରହ୍ମପୁର ଡଙ୍ଗଲପାଡୁ ଗାଁ ଶ୍ମଶାନରେ ଆଠ ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ସକ୍ରାର ଅନ୍ୟ ଏକ ଗାଁରେ ହେଲା । ତେବେ ଗୋଟିଏ ଗାଁରେ ଆଠ ଆଠ ଜଣଙ୍କ ଚିତା ଜଳିବା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ନିଜ ପ୍ରିୟ ଜନଙ୍କୁ ହରାଇ ତମାମ ଗାଁ ତୁନି ହୋଇଥିବା ବେଳେ ଗାଁ ସାରା ଲୋକେ କଇଁ କଇଁ କାନ୍ଦୁଛନ୍ତି ।

କିଏ ପୁଅକୁ ହରାଇଛି, ତ କିଏ ଦୁଇ ଦୁଇଟି ଝିଅକୁ ତ ପୁଣି କିଏ ଶଙ୍ଖା ସିନ୍ଦୂରକୁ ହରାଇ ମାଟି ଉପରେ ମୁଣ୍ଡ ପିଟି କାନ୍ଦୁଛି । ଦୁର୍ଘଟଣାରେ ଗୋଟିଏ ଗାଁରେ ଆଠ ଜଣ ଆଖି ବୁଜିବା ପରେ ଗାଁ ସାରା ନିସ୍ତବ୍ଦତା ଖେଳିଯାଇଛି ଆଉ ଏ ନିରବତା ଭିତରେ କାନ୍ଦ ବୋବାଳିର ଏ କରୁଣ ଚିକ୍ରାର ପୂରା ଗାଁ ଆଖିରେ ଲୁହ ଆଣିଦେଇଛି ।

ବ୍ରହ୍ମପୁରର ଛାତିଥରା ଦୁର୍ଘଟଣାରେ ବରର ଦୁଇ ଭଉଣୀ ଏବଂ ଭଣଜା ଆଖି ବୁଜିଥିବା ବେଳେ ଗାଁର ଅନ୍ୟ ୭ ଜଣଙ୍କ ମୃତ୍ୟୁ ହୋଇଛି । ନିର୍ବନ୍ଧ ପାଇଁ ଡଙ୍କଲପାଡୁରୁ ଚିକରଡା ଯାଉଥିବା ବେଳେ ବାଟ ମଝିର ବିଦ୍ୟୁତ ଝଟକାରେ ବସ ଦୁର୍ଘଟଣା ହୋଇଥିଲା । ଯେଉଁଥିଲେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଲୋକେ ଆହତ ହୋଇଥିଲେ । ତେବେ ଭୟାନକ ଦୁର୍ଘଟଣା ସମସ୍ତଙ୍କୁ ବାକଶୂନ୍ୟ କରିଛି ।

ସେପଟେ ଦୁର୍ଘଟଣା ପରେ ବସ ଭିତରର ବିକ୍ଷିପ୍ତ ଚିତ୍ର ସମସ୍ତଙ୍କ ଛାତିକୁ ଭାରି ଭାରି କରିଛି । ନିର୍ବନ୍ଧ ପାଇଁ ନେଇ ଯାଉଥିବା କଦଳୀ ଥାଳିରେ ସେମିତି ଥୁଆ ହୋଇଛି । ଗୋଟା ଗୋଟା ନଡିଆ ଏତେତେଣେ ଗଡୁଛି ଆଉ ସମ୍ପର୍କର ମିଠା ମୁହଁମାଡି ପଡିଛି । କନ୍ୟା ପାଇଁ ନେଇ ଯାଉଥିବା ଶାଢି ବି ପୋଡି ଯାଇଛି । ତେବେ ଶେଷରେ ଗାଁ ଶ୍ମଶାନରେ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।