ବଦଳିଲା ସ୍କୁଲ ସମୟ : ନବମ ଓ ଏକାଦଶ କ୍ଲାସ୍ ସକାଳ ୭ଟାରୁ ଆରମ୍ଭ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ସକାଳ ୯ଟାରୁ ଆରମ୍ଭ ।

991

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ବଦଳିଲା ସ୍କୁଲ ସମୟ । ଏଣିକି ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢିବେ । ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ନୂଆ ସମୟ ଅନୁସାରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ୯ଟାରେ ଶେଷ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ ୯ଟାରୁ ଦିନ ୧ଟାରେ ଶେଷ ହେବ । ଏଥିସହିତ ପ୍ରତି ସ୍କୁଲରେ ପିଇବା ପାଣିର ସୁବିଧା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସ୍କୁଲରେ ଓଆରଏସ୍ ରଖିବା ଓ ଛାତ୍ରଛାତ୍ରୀଙ୍କ ଯିବା ଆସିବା ଉପରେ ଧ୍ୟାନ ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଲଗାତାର ଭାବେ ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ବି ଏଠାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ୩ ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜଧାନୀ ଭୁବନେଶ୍ୱର ସମେତ ଟିଟିଲାଗଡ, ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଲାଣି । ଯାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ ସ୍କୁଲଗୁଡିକର ସମୟ ସକାଳୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି ।