କନକ ବ୍ୟୁରୋ : କୁହାଯାଏ ଅନ୍ୟ ଆଖିରେ ଲୁହ ଦେଖିଲେ ମଣିଷର ହୃଦୟ ତରଳି ଯାଏ । ଆଉ ଏହାକୁ ଠକେଇର କୌଶଳ ଭାବେ ବ୍ୟବହାର କରୁଥିଲେ ମିଛ ଡାକ୍ତର ରମେଶ ସ୍ୱାଇଁ । କେବେ କାନ୍ଦି କାନ୍ଦି ସମ୍ଭ୍ରାନ୍ତ ମହିଳାଙ୍କୁ ଇମୋସନାଲ ବ୍ଲାକମେଲ କରି ଫସାଉଥିଲା । ପୁଣି କେବେ ମିଛ ସାଲାଇନ ଦେହରେ ଲଗାଇ ଅସୁସ୍ଥ ହେବାର ଅଭିନୟ କରି ଟଙ୍କା ଠକୁଥିଲା । କେହି ସନ୍ଦେହ କଲେ ଧର୍ମାନୁରାଗୀ ଦେଖାଇ ହେବା ପାଇଁ ରଥ ଟାଣୁ ଥିବା ଫଟୋ ସେୟାର କରୁଥିଲା ଧୂର୍ତ ଠକ ରମେଶ ସ୍ୱାଇଁ । ରିମାଣ୍ଡ ଅବଧି ବେଳେ ରମେଶର ଏହି କଳାକାରନାମା ସବୁ ଜାଣିବାକୁ ପାଇଛି ପୁଲିସ ।
ରଙ୍ଗ ବଦଳାଉଥିଲେ ବହୁରୂପି ରମେଶ । ଫସାଇବା ପାଇଁ କରୁଥିଲେ ଇମୋସନାଲ ଡ୍ରାମା । ୧୮ ସ୍ତ୍ରୀଙ୍କ ସ୍ୱାମୀ ରମେଶ ସ୍ୱାଇଁଙ୍କ ଯେଉଁ ଭିଜୁଆଲ ସାମ୍ନାକୁ ଆସିଛି, ତାହା ଦେଖିଲେ ଯେ କେହି ବି ଧୋକା ଖାଇଯିବ । ଭିଡିଓରେ ଦେଖିବାକୁ ମିଳିଛି, ରସିକିଆ ନକଲି ଡାକ୍ତର ଭୋ ଭୋ ହୋଇ କାନ୍ଦୁଛନ୍ତି । ନକଲି ଡାକ୍ତରର ଆଖିରୁ ଝରିଯାଉଥିବା ଧାର ଧାର ଲୁହ ବି ତାଙ୍କ ଚରିତ୍ର ଭଳି ନକଲି । ଜଣଙ୍କ ପରେ ଜଣେ ମହିଳାଙ୍କୁ ନିଜର ପ୍ରେମ ଜାଲରେ ଫସାଉଥିଲେ, ଆଉ ଏହି ଭଳି ଡ୍ରାମେବାଜ ଭିଡିଓ କରି ଇମୋସନାଲ ବ୍ଲାକମେଲ କରୁଥିଲେ । ଆଉ ତାଙ୍କ ଡ୍ରାମା ଆଗରେ ଧୋକା ଖାଇଯାଉଥିଲେ, ବଡ ବଡ ଡାକ୍ତର, ସେନା ଅଧିକାରୀ ଓ ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ଶ୍ରେଣୀର ମହିଳା । ପୋଲିସ ତଦନ୍ତ କହୁଛି, ଏହି ଇମୋସନାଲ ଡ୍ରାମା କରି ସେ ୧୮ମହିଳାଙ୍କଠାରୁ କୋଟି କୋଟି ଟଙ୍କାର ଚୁନା ଲଗାଇ ସାରିଛନ୍ତି ।
ତେବେ ଖାଲି ଏତିକି ନୁହେଁ । ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି, ପାପ ସାମ୍ରାଜ୍ୟର ସମ୍ରାଟ ବନିଥିବା, ରମେଶ ରଥ ଟାଣି ଟାଣି ନେଉଛନ୍ତି । ଏହି ଭିଡିଓଟି ରେକର୍ଡ କରିବାର ଉଦ୍ଦେଶ୍ୟ ହେଉଛି, ସେ ନିଜକୁ ଜଣେ ଇଶ୍ୱରପ୍ରେମୀର ପରିଚୟ ଦେଇ ବିଶ୍ୱାସ ଜନ୍ମାଇବା ପାଇଁ ଚାହୁୁଁଛନ୍ତି । ଏହି ଭିଡିଓ ସେ ସେତେବେଳେ ସୁଟିଂ କରୁଥିଲେ, ଯେତେବେଳେ କୌଣସି ମହିଳା ତାଙ୍କ ଉପରେ ସନ୍ଦେହ ପ୍ରକଟ କରୁଥିଲେ । ଏପରିକି ଦେହରେ ମିଛ ସାଲାଇନ ଲଗାଇ ଅସୁସ୍ଥ ହେବାର ଅଭିନୟ କରୁଥିଲେ । ରିମାଣ୍ଡ ଅବଧି ଭିତରେ ମିଳିଥିବା ରମେଶଙ୍କ ଏହି କଳାକାରନାମାର ପର୍ଦ୍ଦାଫାଶ କରିବାକୁ ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି ପୁଲିସ । ଭାଇ ରମେଶ ଓ ଭଉଣୀ ରଶ୍ମିତା ମହିଳାଙ୍କୁ ଚୁନା ଲଗାଇ ଏବେ ଝାରପଡା ଜେଲରେ ଦିନ କାଟୁଥିବାବେଳେ, ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଏବେ ଫେରାର ।