ଗାଙ୍ଗପୁର ଆଇଆଇସି ମୃତ୍ୟୁକୁ ନେଇ ହଟୁନି ସସପେନ୍ସ । ଗଞ୍ଜାମ ଏସପିଙ୍କୁ ଭେଟିଲେ ମୃତକଙ୍କ ପତ୍ନୀ ଓ ମା’ ।

127

କନକ ବ୍ୟୁରୋ : ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ଏକ ଅସ୍ୱାଭାବିକ ନିରବତା ଦେଖିବାକୁ ମିଳିଛି । ସମସ୍ତେ ଯେମିତି ଚୁପ ହୋଇଯାଇଛନ୍ତି । ଆଜି ମୃତ ଆଇଆଇସିଙ୍କ ପତ୍ନୀ ଓ ମାଆ ଛତ୍ରପୁର ଯାଇ ଗଂଜାମ ଏସପିଙ୍କୁ ଭେଟିଛନ୍ତି । କିନ୍ତୁ ଏସପିଙ୍କ ସହ କଣ ଆଲୋଚନା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଏହାପରେ ଉଭୟେ ଗାଙ୍ଗପୁର ଥାନାକୁ ମଧ୍ୟ ଯାଇଛନ୍ତି ।

ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରୁ ବାହାରୁଛନ୍ତି ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ପରିବାର ସଦସ୍ୟ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ସାକ୍ଷାତ ପରେ କୌଣସି ବି ପକ୍ଷ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନାହାନ୍ତି । ପୁଅ ମୃତ୍ୟୁ ପରେ ଯେଉଁ ମାଆ, ପୁଲିସ ବିଭାଗ ଉପରେ ପ୍ରଶ୍ନ ଉଠାଇଥିଲେ, ସିଏ ଆଜି କିଭଳି ଚୁପ୍ ରହିଗଲେ । ମାମଲାକୁ ନେଇ ଅନେକ ଗୁମର ସାମ୍ନାକୁ ଆସୁଛି । ଗଣମାଧ୍ୟମ ସାମ୍ନାରେ ପୁଲିସ ପକ୍ଷରୁ ଯେଉଁ ଅଡିଓ ଉପସ୍ଥାପନ କରାଯାଇ, ଆଇଆଇସି ଚାପରେ ଥିଲେ ବୋଲି କୁହାଯାଇଛି, ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି । ଦେବକୁମାର ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ବୋଲି ସୂଚନା ମିଳିଛି ।

କନକ ନ୍ୟୁଜକୁ ମିଳିଥିବା ତଥ୍ୟ ଅନୁସାରେ, ୮ ବର୍ଷ ଧରି ଦେବକୁମାର ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ନଥିଲା । ହେଲେ ହଠାତ, ସେ କିଭଳି ଜାଣିଲେ ଭାଇ ଚାପରେ ଅଛନ୍ତି ଏବଂ ଏନେଇ ପୁଲିସ ଅଧିକାରୀଙ୍କୁ ସୂଚନା ଦେଲେ । ପୁଅ ବନ୍ଧୁକ ଧରି ନିଜକୁ ଗୁଳି କରିବାକୁ ଚେଷ୍ଟା କରୁଥିବା ବେଳେ ଦେବକୁମାରଙ୍କ ମା’ ପାଖ ପଡୋଶୀଙ୍କୁ କାହିଁକି ତୁରନ୍ତ ଡାକିନଥିଲେ ।

ଏସଡିପିଓଙ୍କ କହିବା କଥା, ତାଙ୍କ ମୋବାଇଲରେ ସବୁ କଲ୍ ରେକର୍ଡ ହେଉଥିବାରୁ, ଏହି ଅଡିଓ ରହିଯାଇଥିଲା । ହେଲେ ଏହି ଘଟଣା ପୂର୍ବରୁ ଆଉ କାହା ସହ କଣ କଥା ହୋଇଥିଲେ ପୁଲିସ ବାବୁ, ସେନେଇ କିନ୍ତୁ କିଛି କହୁନାହାନ୍ତି । ପ୍ରଶ୍ନ ଉଠୁଛି, ଅଘଟଣ ଘଟିବା ପରେ ମାମଲାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରାଯାଉଛି କି ?

ସେପଟେ ଜଙ୍ଗଲ ଭିତରେ ପୁଲିସ ଅଧିକାରୀଙ୍କ ରାତିଅଧିଆ ଭୋଜିକୁ ନେଇ ଅନେକ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ଯେଉଁ ଏଚଆରପିସି ଅଧିକାରୀଙ୍କୁ ମାମଲାର ତଦନ୍ତର ଭାର ଦିଆଯାଇଛି, ସେ ଭୋଜିରେ ସାମିଲ ଥିଲେ । ଏକାଧିକ ଥାନା ଆଇଆଇସି, ଏସଡିପିଓ ସେଠାରେ ଉପସ୍ଥିତ ଥିଲେ । ଯାହା ବିରୋଧରେ ଅଭିଯୋଗ ରହିଛି, ତାଙ୍କ ସହ ମିଶି କାହିଁକି ଲୁଚିଛପି ଭୋଜି କରୁଥିଲେ ଏଚଆରପିସି ଅଧିକାରୀ । ତେଣୁ କିଭଳି ନିରପେକ୍ଷ ଭାବେ ମାମଲାର ତଦନ୍ତ ହେବ, ସେନେଇ ପ୍ରଶ୍ନ ଉଠିଛି । ଆରମ୍ଭରୁ ହିଁ ମାମଲାକୁ ଦିଶାହୀନ କରିଦେବାକୁ ଚେଷ୍ଟା କରାଯାଉଛି କି? ନିଜ ଉପରିସ୍ଥ ଅଧିକାରୀଙ୍କ ଉପରେ ସଠିକ୍ ଭାବେ ତଦନ୍ତ କରିପାରିବେ ତ ?