ଆକାଶ ପାଠକଙ୍କ ପାଇଁ ବଢିଲା ଅଡୁଆ । ସ୍କାଏ କିଙ୍ଗ ଆଣିଲା ବଡ ଅଭିଯୋଗ । ୬୫ ଲକ୍ଷର ଟିକେଟ୍ ଟଙ୍କା ଠକି ଆକାଶରେ ଉଡୁଥିଲେ ଆକାଶ ।

1,346

କନକ ବ୍ୟୁରୋ: ପାଠକ ବାପାପୁଅଙ୍କ ପାଇଁ ବଢିଲା ଅଡୁଆ । ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଅଭିଯୋଗ କରିଛି ସ୍କାଇ କିଙ୍ଗ କଂପାନୀ । ସ୍କାଇ କିଙ୍ଗର ମାନେଜିଂ ପାଟର୍ନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି । ଟ୍ରେନ୍, ବିମାନ ଓ ଚାର୍ଟର ବିମାନ ଟିକେଟ୍ ବାବଦରେ ୬୫ ଲକ୍ଷ ୧୬ ହଜାର ଟଙ୍କା ଠକିଛନ୍ତି ଆକାଶ ପାଠକ ।

ସ୍କାଇ କିଙ୍ଗ ପକ୍ଷରୁ କୁହାଯାଇଛି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍ କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କା ନଦେଇ ଠକି ଦେଇଥିଲେ ବୋଲି ଅଭିଯୋଗ କରିଛି ସ୍କାଇ କିଙ୍ଗ କଂପାନୀ । ଟଙ୍କା ନଦେଇ ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସ୍କାଇ କିଙ୍ଗର ମାନେଜିଂ ପାଟର୍ନର ପ୍ରଭାସ କୁମାର ଚୌଧୁରୀ । ଥାନାରେ ଅଭିଯୋଗ ପରେ ଆକାଶଙ୍କ ବିରୋଧରେ ମାମଲା ରୁଜୁ କରିଛି ଖାରବେଳନଗର ପୋଲିସ ।

ସେପଟେ କୁବେର ବାପାର କୋଟିପତି ପୁଅ ଆକାଶ ପାଠକଙ୍କ ମିଛ ସାମ୍ରାଜ୍ୟର ପୋଥି ଖୋଲିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଯେଉଁ ସୂଚନା ଜାରି କରାଯାଇଛି ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୯ କୋଟି ନୁହେଁ ବରଂ ୧୪.୭୭ କୋଟି ଜମା ଥିଲା ବୋଲି ଭିଜିଲାନ୍ସ କହିଛି । ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ୩ଟି ଆକାଉଣ୍ଟରେ ୯.୪୮ କୋଟି ଜମା ହୋଇଥିବା ବେଳେ ଅନ୍ୟ ସୂତ୍ରରୁ ଆକାଶଙ୍କ ଆକାଉଣ୍ଟକୁ ଆସିଛି ୫.୨୯ କୋଟି ।

ଅଭୟଙ୍କ ଲିଙ୍କ୍ ନେଇ ୭ଟି ସ୍ଥାନରେ ରେଡ କରିଛି ଏସଆଇଟି । ଏପରିକି ଅଭୟକାନ୍ତ କାମ କରିଥିବା ପୁରୁଣା ଅଫିସରେ ମଧ୍ୟ ଯାଞ୍ଚ କରାଯାଇଛି । ଆଉ ଏହି ରେଡ ସମୟରେ ଜବତ ହୋଇଥିବା ଫୋନ, ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀକୁ ଫରେନ୍ସିକ ଯାଞ୍ଚ ପାଇଁ ଦିଆଯାଇଛି । ଏହାପୂର୍ବରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଲୋକଙ୍କୁ ନିଯୁକ୍ତି ଦେବା ନାଁରେ ଠକେଇ ଅଭିଯୋଗରେ ପାଠକ ବାପା-ପୁଅଙ୍କୁ ଗିରଫ କରିଛି ଭିଜିଲାନ୍ସ ।