କନକ ବ୍ୟୁରୋ : ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପଡାପେଟା ଗାଁର । ଗାଁରେ ପାଖାପାଖି ୪୦ ପରିବାର ମାଟିରେ ବିଭିନ୍ନ ଉପକରଣ ତିଆରି କରି ଜୀବିକା ନିର୍ବାହ କରନ୍ତି । ପରିବାରର ପୁରୁଷ ଓ ମହିଳା ସମସ୍ତେ ବିଭିନ୍ନ ମାଟି ଉପକରଣ ତିଆରି କରନ୍ତି । କିଏ ହାତରେ ଦୀପ ଗଢୁଛି ତ ଆଉ କିଏ ଚକ ସାହାଯ୍ୟରେ କଳସ, ମାଠିଆ, ସୁରେଇ ଆଦି ନିର୍ମାଣ କରୁଛି । ବାପ ଅଜା ଅମଳରୁ ଏହି ବୃତିକୁ ଏମାନେ ନିଜର କରି ପରିବାର ପ୍ରତିପୋଷଣ କରୁଛନ୍ତି । ଦିନକୁ ୩ ରୁ ୪ ଘଂଟା ସମୟ ଦେଇ ମାଟିର ବିଭିନ୍ନ ଉପକରଣ ତିଆରି କରି ରାଜନଗର ବ୍ଲକର ରାଜନଗର, ଜରିମୂଳ, କୁରୁଂଟି, ତାଳଚୁଆ ଆଦି ବଜାରକୁ ଯୋଗାଣ କରନ୍ତି । ପୂର୍ବରୁ ଅନେକ ବ୍ୟବସାୟୀ ମାନେ ଆସି ପ୍ରତ୍ୟେକ ସପ୍ତାହରେ ଏମାନଙ୍କଠୁଁ ଜିନିଷ କିଣିନିଅନ୍ତି । ମାତ୍ର ଏବେ ପ୍ଲାଷ୍ଟିକ ଓ ଷ୍ଟିଲ ଦ୍ରବ୍ୟର ବହୁଳ ବ୍ୟବହାର କାରଣରୁ ଏମାନଙ୍କ ହାତ ତିଆରି ଜିନିଷର ଚାହିଦା କମିବାକୁ ଲାଗିଲାଣି ।
ପୂର୍ବରୁ ଏମାନେ ଏହି ମାଟି ଦ୍ରବ୍ୟକୁ ବିକ୍ରି କରି ମାସକୁ ୨୦ ରୁ ୨୫ ହଜାର ଟଙ୍କା ରୋଜଗାର କରୁଥିଲେ । ବେପାର ଏତେ ହେଉଥିଲା ଯେ, ତିଆରି କରି ଜିନିଷ ଯୋଗାଇବା କଷ୍ଟ ହୋଇପଡୁଥିଲା । ମାତ୍ର ଏବେ ଜିନିଷ ତିଆରି ହୋଇ ପଡିରହିଥିଲେ ବି ବଜାରରେ ଚାହିଦା ନଥିବାରୁ ସେଭଳି ବେପାର ହେଉନାହିଁ । ଜମିବାଡି ନଥିବାରୁ କେବଳ ମାଟି ଦ୍ରବ୍ୟ ବିକ୍ରି କରି ଏମାନେ ନିଜର ଗୁଜୁରାଣ ମେଂଟାନ୍ତି । ଅନ୍ୟପଟେ ଏହି ବୃତିକୁ ଆପଣାଇ ପରିବାର ଚଳାଉଥିବା କାରିଗରଙ୍କୁ ଆଜିଯାଏଁ ଟଙ୍କାଟିଏ ବି ସରକାରୀ ସହାୟତା ମିଳିନାହିଁ । ଯାହାକୁ ନେଇ କାରିଗର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପୂର୍ବରୁ ଯେତିକି ଟଙ୍କା ରୋଜଗାର ହେଉଥିଲା, ଏବେ ତାର ଅଧା ଟଙ୍କା ହେଉନଥିବା କହିଛନ୍ତି କାରିଗର । ଏହି ମାଟି ଦ୍ରବ୍ୟ ପରିବେଶ ପ୍ରତି କୌଣସି କ୍ଷତିକାରକ ହୋଇନଥିଲେ ବି ଲୋକମାନେ ମାଟି ଦ୍ରବ୍ୟ ପ୍ରତି ମୁହଁ ମୋଡୁଛନ୍ତି । ଯଦି ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଏ ତେବେ ଏମାନେ ନିଜର କୌଳିକ ବୃତି ମାଧ୍ୟମରେ ବଜାରରେ ମାଟି ଦ୍ରବ୍ୟର ବେପାର ବଢାଇ ପାରନ୍ତେ ।