ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ । ୨୪ ଘଂଟାରେ ୬ହଜାରରୁ ଅଧିକ ସଂକ୍ରମିତ, ୯୯ ମୃତ । ନୋଏଡା ସୀମାରେ ଆରମ୍ଭ ହେଲା ରେଣ୍ଡମ ଟେଷ୍ଟିଂ

98

କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ବଢୁଛି କରୋନାର ପ୍ରକୋପ । ଗତ ୨୪ ଘଂଟାରେ ଦିଲ୍ଲୀରେ ୬ ହଜାର ୩୯୬ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସମୟ ମଧ୍ୟରେ ୯୯ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସଂକ୍ରମିତ ସଂଖ୍ୟା ହଠାତ ବଢିବାରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ସମେତ କେଜ୍ରିୱାଲ ସରକାର । ତେବେ ସମ୍ପୂର୍ଣ୍ଣ ଭାବେ ତାଲାବନ୍ଦ ନୁହେଁ ବରଂ କୋଭିଡ ନିୟମ ଉଲ୍ଲଙ୍ଘନ କରାଯାଉଥିବା ବଜାର ଗୁଡିକରେ ସାମୟିକ ଭାବେ କଟକଣା ଲଗାଯିବା ଉପରେ ଜୋର ଦେଇଛନ୍ତି ଦିଲ୍ଲୀ ସରକାର ।

କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଗୃହମନ୍ତ୍ରାଳୟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ୧୦ଟି ଡାକ୍ତରୀ ଟିମ ଗଠନ କରାଯିବା ସହ ୪୫ଟି ସଦସ୍ୟ ବିଶିଷ୍ଟ ଏକ ଟିମ ଏବେ ଦିଲ୍ଲୀରେ ପହଁଚିଛି । ଏହି ଟିମ ଘରୋଇ ଡାକ୍ତରଖାନାରେ ସ୍ଥିତି ସମୀକ୍ଷା କରିବେ ।

କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଅଂଚଳରେ ଆରମ୍ଭ ହୋଇଛି ର୍ୟାଣ୍ଡମ୍ ଟେଷ୍ଟିଂ । ଯେଉଁ ଅଂଚଳ ଗୁଡିକରେ ଏକ୍ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ, ସେହି ଅଂଚଳରୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରାଯିବ ଏବଂ ଏହି ଅଂଚଳରେ ଟାର୍ଗେଟ୍ ସାମ୍ପଲିଂ କରାଯିବ । ଡେଲିଭରି ବଏ, ବ୍ୟବସାୟୀ, ରିକ୍ସା ଚାଳକଙ୍କ ସହ ସାଧାରଣ ସମ୍ପର୍କରେ ଅଧିକ ଆସୁଥିବା ଲୋକଙ୍କ ନମୂନା ପରୀକ୍ଷାକୁ ଅଗ୍ରାଧିକାର ଦିଆଯିବ ।

ଦିଲ୍ଲୀରେ କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ରାଜଧ।।ନୀରେ ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି କରାଯିବା ସହ ନଭେମ୍ବର ୨୫ ଯାଏଁ ଡୋର ଟୁ ଡୋର ଟେଷ୍ଟିଂ ଚାଲିବ ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ।
ଦିଲ୍ଲୀ ସଂକ୍ରମଣ ବଢୁଥିବା ଦେଖି ୟୁପି ନୋଏଡାରେ ମଧ୍ୟ ସତର୍କତା ବଢାଇ ଦିଆଯାଇଛି । ସଂକ୍ରମଣକୁ ରୋକିବା ପାଇଁ ନୋଏଡା ପ୍ରଶାସନ ପକ୍ଷରୁ ଦିଲ୍ଲୀ ନୋଏଡା ସୀମାରେ ର୍ୟାଣ୍ଡମ ଟେଷ୍ଟିଂ ଆରମ୍ଭ କରାଯାଇଛି । ସେହିପରି ଦିଲ୍ଲୀର ବିଭିନ୍ନ କାର୍ଯ୍ୟକ୍ରମରେ ଜନସମାଗମ ଉପରେ କଟକଣା ନିଷ୍ପତି ନେଇଛନ୍ତି କେଜ୍ରିୱାଲ ସରକାର ।