ଦିନକ ପରେ ହେବ ସାଧାରଣ ନିର୍ବାଚନର ଭୋଟ ଗଣତି । ସକାଳ ୮ଟାରୁ ୬୩ଟି କେନ୍ଦ୍ରରେ ଆରମ୍ଭ ହେବ ମତଗଣନା, ସମ୍ବଲପୁରରୁ ସଅଳ ଆସିବ ରେଜଲ୍ଟ ।

189

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ଆସିବାକୁ ଯାଉଛି ୨୦୧୯ ନିର୍ବାଚନର ଫଳାଫଳ । ଭୋଟ ଗଣତିକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଚୁଡାନ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ମୋଟ ୬୩ଟି ଭୋଟ ଗଣତି କେନ୍ଦ୍ରରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ହେବ । ସକାଳ ୮ଟା ରେ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ନଜର ପକାନ୍ତୁ ଚଳିତ ଥରର ଭୋଟ ଗଣତି ପ୍ରକ୍ରିୟା ଉପରେ ।

ସୁରୁଖୁରୁରେ ଭୋଟଗଣତି କରିବା ପାଇଁ ପୁରା ପ୍ରସ୍ତୁତ ନିର୍ବାଚନ କମିଶନ । ପ୍ରତିଟି ଭୋଟ ଗଣତି କେନ୍ଦ୍ରରେ ଉଭୟ ଲୋକସଭା ଓ ବିଧାନସଭା ଆସନର ଭୋଟ ଗଣତି ପାଇଁ ଅନୁନ୍ୟ ୭ଟି ଟେବୁଲ୍ ରହିବ । କିନ୍ତୁ ପରବର୍ତି ସମୟରେ ଏହା ବୃଦ୍ଧି ପାଇବ । ରାଜ୍ୟରେ ମୋଟ ୬୭୦୦ ଜଣ ଲୋକ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ରହିବେ । ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ଏଥର ଅଧିକ ୪୧୧ଟି ଟେବୁଲରେ ଭୋଟ ଗଣତି ହେବ । ପ୍ରତି ଆସନ ପାଇଁ ହାରାହାରି ୩୦ ରାଉଣ୍ଡରେ ଭୋଟ ଗଣତି ହେବ । ସର୍ବାଧିକ ପାଟଣାଗଡ ବିଧାନସଭା ଆସନରେ ୪୯ ରାଉଣ୍ଡ, ସର୍ବନିମ୍ନ ସମ୍ବଲପୁର ବିଧାନସଭା ଆସନରେ ୧୯ ରାଉଣ୍ଡରେ ହେବ ଭୋଟ ଗଣତି । ତେଣୁ ସମ୍ବଲପୁର ନିର୍ବାଚନ ଫଳାଫଳ ଆଗୁଆ ଆସିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

ପ୍ରତିଟି ଭୋଟ ଗଣତି କେନ୍ଦ୍ରରେ ଜଣେ କାଉଣ୍ଟିଙ୍ଗ ସୁପରଭାଇଜର, ଜଣେ କାଉଣ୍ଟିଙ୍ଗ ଆସିଷ୍ଟାଂଟ ଓ ଜଣେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଲକି ଡ୍ର ମାଧ୍ୟମରେ ପ୍ରତି ଆସନରେ ପାଂଚଟି ବୁଥର ଭିଭିପାଟ୍ ମେସିନର ବାଲାଟ୍ ପେପର ଗଣାଯିବ । ସଂପୂର୍ଣ୍ଣ ଭୋଟ୍ ଗଣନା ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯିବ । କାଉଣ୍ଟିଙ୍ଗ ଏଜେଂଟମାନେ ଗଣତି କେନ୍ଦ୍ର ଭିତରକୁ କୈାଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନନେବା ପାଇଁ କଟକଣା ରହିଛି ।

ଭୋଟ ଗଣତିକୁ ଶୀଘ୍ର ଶେଷ କରିବାପାଇଁ ପୋଷ୍ଟାଲ୍ ବାଲାଟ୍ ଗଣତି ଓ ଭୋଟ ଗଣତି ଏକା ସାଂଗରେ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ଫଳାଫଳ ଜାଣିବା ପାଇଁ ହେଲେ ସୁବିଧା ଆପ ଓ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ ରେଜଲ୍ଟସ ଡଟ ଇସିଆଇ ଡଟ ଗଭମେଂଟ ଡଟ ଇନରେ ଦେଖିପାରିବେ ।